ଚଢ଼ିଲା ବୁଲଡୋଜର ଭାଙ୍ଗିଲା ଘର, ଜବର୍ ଦଖଲ ଉଚ୍ଛେଦ କଲା ପ୍ରଶାସନ

ଯାଜପୁର: ଚଢ଼ିଲା ବୁଲଡୋଜର ଭାଙ୍ଗିଲା ଘର । ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଘରକୁ ବୁଲଡୋଜର ଭାଙ୍ଗିଛି । ଜବରଦଖଲ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ନେଲା କଡ଼ା ପଦକ୍ଷେପ । ୭୦ ବର୍ଷିୟ ପୁରୁଣା ଘରକୁ ଭଙ୍ଗାଯାଇଛି । ବୁଲଡୋଜର ମାଧ୍ୟମରେ ପୋଲିସ ଉପସ୍ଥିତରେ ଭଙ୍ଗାଯାଇଛି ଘର ।

ସରକାରୀ ରାସ୍ତାକୁ ଅବରୋଧ କରି ଦୀର୍ଘଦିନ ଧରି କବଜା କରି ରଖିଥିଲେ ଗାଁ ଲୋକେ । ୨୦୨୩ ମସିହା ଜୁଲାଇ ୨୩ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ସଦର ବ୍ଲକ ସାନସୁଆର ଗାଁର ପ୍ରଫୁଲ୍ଲ କୁମାର ନାୟକ, ରତିକାନ୍ତ ନାୟକ, ତାରାକାନ୍ତ ଜେନା, ସଚିକାନ୍ତ ନାୟକଙ୍କ ଅଭିଯୋଗ ଆଧାରରେ ଗାଁ ରାସ୍ତାକୁ କିଛି ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ଜବର୍ ଦଖଲ କରିଥିଲେ । ସରକାରୀ ଜମି ଯାଜପୁର ବ୍ଲକ ସାନସୁଆର ମୌଜା ପ୍ଲଟ ନମ୍ବର ୩୯୦, ଖାତା ନମ୍ବର ୩୫୪ର ମାପଚୁପ ନିର୍ଦ୍ଦେଶ ପରେ ଜବରଦଖଲକାରୀଙ୍କୁ ଦଖଲ ଉଚ୍ଛେଦ ନୋଟିସ ଦିଆଯାଇଥିଲା । କିନ୍ତୁ ନୋଟିସକୁ ଅମାନ୍ୟ କରି ନୋଟିସ ଧାରୀ ୧୮ ପରିବାର ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ । ଯାଜପୁର  ତହସିଲଦାର, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଆରଆଈଙ୍କ ମିଳିତ ଉଦ୍ୟମରେ ବୁଲଡୋଜର ଦ୍ୱାରା ଏହି ସରକାରୀ ଜମିରେ ନିର୍ମାଣ ହୋଇଥିବା ଘର, ପାଚେରୀ, ଘରର ବାରଣ୍ଡା ପ୍ରଭୃତିକୁ ଉଚ୍ଛେଦ କରାଯାଇଛି । ଶାନ୍ତିଶୃଙ୍ଖଳାକୁ ଆଖିଆଗରେ ରଖି ଯାଜପୁର ଟାଉନ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ୍ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ।

ଯେଉଁ ଲୋକମାନଙ୍କ ଘର ଭଙ୍ଗାଯାଇଛି ସେମାନଙ୍କ କହିବା କଥା ହେଲା ପୁରୁଣା ନକ୍ସା ଅନୁସାରେ ଆମେ ଘର କରିଛୁ । କିନ୍ତୁ ନୂଆ ନକ୍ସାରେ ସେମାନେ ସରକାରୀ ଜମିରେ ଘର କରିଥିବା ଦର୍ଶାଯାଇଛି । ଫଳରେ ପ୍ରଶାସନ ସେମାନଙ୍କ ଘର ଉପରେ ବୋଲଡୋଜର ଚଢ଼ାଇଛି ।

ସରକାରୀ ରାସ୍ତା ଉପରେ ଘର କରାଯାଇଥିବାରୁ ଗାଁରେ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି ପଶିବାରେ ସମସ୍ୟା ହୁଏ । ତେଣୁ ଜବର୍ ଦଖଲ ଜମିରେ କରାଯାଇଥିବା ଘର ଗୁଡ଼ିକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି ।

Also Read:ଖୋର୍ଦ୍ଧାରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ, ପୋଲିସ ଉପସ୍ଥିତରେ ଭଙ୍ଗା ଯାଉଛି ଦୋକାନ ଘର