ଅର୍ଚ୍ଚନା ଘରକୁ କୋଟି କୋଟି ଟଙ୍କାର ଜିନିଷ ଆସିଲା କେମିତି ? କାହା ସାହାଯ୍ୟରେ ବଡ଼ବଡ଼ିଆଙ୍କୁ ଥୋପ ପକାଉଥିଲେ ଏ ମାୟାବିନୀ?
କେନ୍ୟୁଜ୍(ବ୍ୟୁରୋ): ଚାରିଆଡ଼େ ଖାଲି ଅର୍ଚ୍ଚନାଙ୍କ ଚର୍ଚ୍ଚା । ଏମିତିକି ଏଇ ମହିଳାଙ୍କ କାରନାମା ପାର୍ବଣ ୠତୁକୁ ବି ଟକ୍କର ଦେଲା । ଆରମ୍ଭ ହେଲା ଗୋଟିଏ ପଟରୁ ହେଲେ ଘଟଣା ଓଲଟିଗଲା ଆଉ ଗୋଟିଏ ପାଖକୁ । ନିଜେ ଅଭିଯୋଗ ଆଣିଥିବା ଅର୍ଚ୍ଚନା ନାଗ ପାଲଟିଗଲେ ଅଭିଯୁକ୍ତ । ତାପରେ ଗୁମର ଖୋଲିଲା ଏଇ ମହିଳାଙ୍କର । କିଭଳି ବଡ଼ବଡ଼ିଆଙ୍କୁ ବ୍ଲାକ୍ମେଲ୍ କରି କୋଟି କୋଟି ଟଙ୍କା କମାଉଥିଲେ । କିଭଳି ସେମାନଙ୍କୁ ନିଜ ଫାଶରେ ବାନ୍ଧୁଥିଲେ । ହୁଏତ ପୋଲିସ୍ ତଦନ୍ତ ଆଗକୁ ବଢ଼ିଲେ ଏସବୁ ଧୀରେ ଧୀରେ ଆହୁରି ସ୍ପଷ୍ଟ ହେବ । ହେଲେ ଏସବୁ ଭିତରେ ଚକିତ କଲା ଭଳି ଖବର ହେଉଛି କି ଅର୍ଚ୍ଚନାଙ୍କ ଇନ୍ଦ୍ର ଭୁବନ ଭଳି ଉଆସରେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ଜିନିଷ କେମିତି ରହିଲା ? ଏଇ ସବୁ ସାମଗ୍ରୀ ହିଁ ସ୍ପଷ୍ଟ କରୁଛି କି କେତେ ଟଙ୍କା କମାଉଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ଆଉ ଏଥିରେ ସଂପୃକ୍ତ ଥିଲେ କିଛି ସହଯୋଗୀ । ଏତେ ଉପର ଲୋକଙ୍କ ସହ କିଭଳି ଅର୍ଚ୍ଚନା ତାଙ୍କର ସମ୍ପର୍କ ବଢ଼ାଇ ପାରିଥିଲେ ତାହା ତ ତାଙ୍କର ପାରିବା ପଣିଆକୁ ଦର୍ଶାଉଛି । ସେହିଭଳି କରିତକର୍ମା ହୋଇନଥିଲେ ଏଭଳି ଅପରାଧିକ କାମ କରି ଅୟେସରେ ରହୁନଥାନ୍ତେ । ତେବେ ଏସବୁ ପଛରେ ତାଙ୍କ ବିଉଟି ଥିଲା ପ୍ରଥମ ଅସ୍ତ୍ର । ତାପରେ ବ୍ଲାକମେଲ୍ର ଷଡ଼ଯନ୍ତ୍ର । ଅନ୍ୟକୁ ଲୁଟି ନିଜେ ଅୟେସ କରୁଥିଲେ ।
ଯଦି ନଜର ପକାଇବା ଅର୍ଚ୍ଚନାଙ୍କ ଉଆସରେ ଦାମୀ ଝୁମର ଠାରୁ ଆରମ୍ଭ କରି ଘୋଡ଼ା, ବିଦେଶୀ କୁକୁର, ମିନି ବାର୍, ଦାମୀ ସେଣ୍ଟ ଓ ବିଦେଶୀ ମଦ ଭର୍ତ୍ତି ହୋଇ ରହିଥିଲା । ଯେମିତି ବିଳାସ ବ୍ୟସନରେ ଟିକିଏ ବି କମି ନରହିବ ସେଥି ପ୍ରତି ପୂରା ଧ୍ୟାନ ଦିଆଯାଇଛି । ଘର ଭିତରକୁ ପଶିଗଲେ ଲାଗିବ ଯେମିତି ଇନ୍ଦ୍ର ଭୁବନ । ଦେଖିଲେ ଘଡ଼ିଏ ଚାହିଁ ରହିଯିବେ । ତେବେ ଆସନ୍ତୁ କିଛି ଆକଳନ କରିବା ଏସବୁ ଦାମୀ ଜିନିଷପତ୍ର ବିଷୟରେ । ଆମ ଦେଶରେ ଗୋଟିଏ ସାଧାରଣ ଘୋଡ଼ା କିଣିଲେ ତାର ମୂଲ୍ୟ ପ୍ରାୟ ୧୦ରୁ ୮୦ ହଜାର ହୋଇଥାଏ । ଆଉ ଯଦି ଭଲ ପ୍ରଜାତିର ଘୋଡ଼ା କିଣିବେ ତେବେ ମୂଲ୍ୟ ଆସିବ ୩ରୁ ୫ ଲକ୍ଷ ଟଙ୍କା । ଆଉ ଯଦି ବିଦେଶୀ ଘୋଡ଼ାର ଦାମ ଜାଣିବେ ତେବେ ଝଟ୍କା ଲାଗିବ ନିଶ୍ଚୟ । ଏହାର ଦାମ୍ ୧୫ରୁ ୨୦ ଲକ୍ଷ ହେବ । ଯଦି ଆରବିୟାନ ଘୋଡ଼ା କଥା କହିବା ତେବେ ଭାରତୀୟ ମୁଦ୍ରାରେ ମୂଲ୍ୟ ଆସିବ ୩ ଲକ୍ଷ ୫୦ ହଜାରରୁ ୨୫ ଲକ୍ଷ ଯାଏ ।
ସେହିଭଳି ବିଦେଶୀ କୁକୁରଗୁଡ଼ିକର ମୂଲ୍ୟ ବି କିଛି କମ୍ ନୁହେଁ । ସବୁ ଲକ୍ଷ ପରେ । ଅର୍ଚ୍ଚନାଙ୍କ ମିନି ବାର୍ରେ ତାଙ୍କ ସ୍ୱାମୀ ଜଗବନ୍ଧୁ ବସି ହି୍ଵସ୍କିର ଚୁସ୍କି ନେଉଥିବା ଫଟୋ ଭାଇରାଲ ହୋଇଛି । ଗୋଟିଏ ଚିଭାସ ରିଗଲ ମଦ ମୋତଲ ବି ଦେଖିବାକୁ ମିଳିଛି । ଯାହାର ଦାମ ଭାରତୀୟ ବଜାରରେ ପ୍ରାୟ ୪ ହଜାରରୁ ୨୪ ହଜାର ଟଙ୍କା ପ୍ରତି ବୋତଲ । ମଦ ଯେତେ ପୁରୁଣା ସେତେ ଅଧିକ ଦାମ୍ ।
ଘରେ ସଜା ହୋଇ ରହିଛି ଅନେକ ପ୍ରକାର ପରଫ୍ୟୁମ । ମଦ କମ୍ପାନୀ ଷ୍ଟର୍ଲିଂ ରିଜର୍ଭ ସେଣ୍ଟର ଦାମ ଅଢ଼େଇ ହଜାରରୁ ପାଖାପାଖି ୪ ହଜାର ଟଙ୍କା । ସେହିପରି ବ୍ଲାକଡଗ, ଡିଓ୍ଵାର୍ସ, ଚିଭାସ ରିଗଲ, ବେଣ୍ଟଲି, କୁଟ୍ଟି ସାର୍କ, ରେଡ୍ ଲେବେଲ, ସମର୍ଥି ସ୍ପେସିଆଲ ଆଦି ଅନେକ ପ୍ରକାର ସେଣ୍ଟ ରହିଛି ଅର୍ଚ୍ଚନାଙ୍କ ଓ୍ଵାର୍ଡ଼ରୋବରେ । ଡାଇନିଂ ହଲ୍ରେ ପଡ଼ିଥିବା ରାଜକୀୟ ଷ୍ଟାଇଲର ଚେୟାର ଟେବୁଲ ଦେଖିଲେ ଆଖି ଖୋସି ହୋଇ ଯାଉଛି । ପୁଣି ଘରେ ରହିଛି ଦୁଇ ଦୁଇଟି କାର ଆଉ ଦାମୀ ହାର୍ଲିଡେଭିଡସନ ବାଇକ୍ । ଏହି ବାଇକ୍ର ଦାମ ୧୨ ଲକ୍ଷରୁ ୩୭ ଲକ୍ଷ ଭିତରେ ।
କଳାହାଣ୍ଡି କେସିଙ୍ଗାରୁ ରାଜଧାନୀ ଭୁବନେଶ୍ୱର । ବୋଧହୁଏ ଅନେକ ସ୍ୱପ୍ନ ଦେଖିଥିଲା ଅର୍ଚ୍ଚନା । ବଡ଼ ହେବାର, ବଡ଼ଲୋକ ହେବାର । ଉଚିତ ରାସ୍ତାରେ ତ ଗଲା ନାହିଁ, ଅବୈଧ କାମ କରି ଗଢ଼ିଲା ସ୍ୱପ୍ନର ଘର । ହେଲେ କଥାରେ ଅଛି ପରା, ‘ଅଧର୍ମ ବିତ୍ତ ବଢ଼େ ….. ବହୁତ ଗଲା ବେଳେ ଯାଏ ମୂଳ ସହିତ’ା ଏବେ ଏସବୁ ଅନ୍ୟାୟ ଅର୍ଜିତ ଧନ କେବଳ ମାଟିରେ ହିଁ ମିଶିବା ସାର ହେବ ।
ତେବେ ଆଶ୍ଚର୍ଯ୍ୟ ଲାଗେ ଅର୍ଚ୍ଚନାଙ୍କ ଜାଲରେ ବଡ଼ବଡ଼ିଆମାନେ ଫଶିଲେ କେମିତି ? ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ସମ୍ମାନ ପାଉଥିବା ଅନେକ ଲୋକ ହୁଏତ ଅର୍ଚ୍ଚନାଙ୍କ ବ୍ଲକ୍ମେଲର ଶିକାର ହୋଇଥାଇ ପାରନ୍ତି । ହେଲେ ଏମାନଙ୍କୁ ନିଜ ଶିକାର ବନାଇବାକୁ ସାହସ କଲା କେମିତି ଅର୍ଚ୍ଚନା ? ଆଉ ଏଇ ବଡ଼ବଡ଼ିଆମାନେ କିଭଳି ଫସିଗଲେ ଜାଲରେ ? କଣ କେବଳ ‘କାମନାର ନିଶାରେ’ ? ଯେଉଁଠି ହାରି ଯାଇଛନ୍ତି କେତେ କେତେ ।
ପୁଣି ଆଉ ଗୋଟିଏ କଥା ଏବେବି ରହସ୍ୟ ଘେରରେ ରହିଛି । ଅର୍ଚ୍ଚନା ବିବାହ କରିଥିଲେ ଜଗବନ୍ଧୁଙ୍କୁ । ଏହି ସବୁ କଳା କାରନାମାରେ ତାଙ୍କର କଣ ଭୂମିକା ଥିଲା । ଯଦିଓ ସେ ଏବେ ଫେରାର ଅଛନ୍ତି ତେବେ ସେ ଅର୍ଚ୍ଚନାଙ୍କୁ କିଭଳି ଭାବରେ ସହଯୋଗ କରୁଥିଲେ, ତାକୁ ନେଇ ଚର୍ଚ୍ଚା ଚାଲିଛି । କଣ ଏସବୁ ଦେହ ବେପାରରେ ସେ ଦଲାଲ ସାଜିଥିଲେ କି ? ଏଜେଣ୍ଟ ସାଜି ଅର୍ଚ୍ଚନା ଓ ଉପର ଲେବଲଙ୍କ ଭିତରେ ସୂତ୍ରଧର ଥିଲେ କି ?
ହୁଏତ ପୋଲିସ୍ ରିମାଣ୍ଡରେ ନେବା ପରେ ଅର୍ଚ୍ଚନାଙ୍କ ଠାରୁ ଏସବୁ କଥା ଆଦାୟ କରିପାରେ । ତେବେ ଓଡ଼ିଶାରେ ଏଭଳି ଜଣେ କରିତକର୍ମା ମହିଳା ଥିବେ ବୋଲି ଆଗରୁ କେହି ଭାବି ନଥିବେ ନିଶ୍ଚୟ । ଯାହାଙ୍କର ଏତେ ଦବଦବା ଥିଲା ଯେ ରାଜେନୈତିକ ସ୍ତରରୁ ପ୍ରଶାସନ ଯାଏ ସବୁଠି ତାଙ୍କର ଲିଙ୍କ ରହିଥିଲା । ଏବେ ଦେଖିବା କଥା ଅର୍ଚ୍ଚନାଙ୍କ ଭାନୁମତୀ ପେଡ଼ିରୁ ଆଉ କଣ ସବୁ ବାହାରୁଛି । ପୋଲିସ ଜବତ କରିଥିବା ଲାପଟପ, ମୋବାଇଲ ଓ ଅନ୍ୟାନ ସାମଗ୍ରୀରୁ କାହା କାହାର ଲିଙ୍କ ବାହାରୁଛି ତାହା ପର୍ଦ୍ଦାଫାସ ହେଲେ ହିଁ ଜଣା ପଡ଼ିବ।