ସୁଭଦ୍ରା ଯୋଜନାରେ କେମିତି କରିବେ ଫର୍ମ ପୂରଣ ଓ କିଏ କିଏ ପାଇବେ ଟଙ୍କା ଜାଣନ୍ତୁ?

ସୁଭଦ୍ରା ଯୋଜନାରେ କେଉଁଠି କରିବେ ଆବେଦନ? କିଏ କିଏ ପାଇବେ ଟଙ୍କା? ଏ ଏସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଜଣାଇବୁ । ଯାହାକୁ ଦେଖିବା ପରେ ଆପଣଙ୍କ ମନରେ ଆଉ ସୁଭଦ୍ରାକ ଯୋଜନା ଫର୍ମ ପୂରଣକୁ କୌଣସି କନଫ୍ୟୁଜନ୍ ରହିବନାହିଁ ।
ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାରେ ଆରମ୍ଭ ହୋଇସାରିଛି ପଞ୍ଜିକରଣ । ଗତ ରବିବାର ଠାରୁ ରାଜ୍ୟରେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଫର୍ମ ବଣ୍ଟନ ଆରମ୍ଭ କରାଯାଇଛି । ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିଛି ମହିଳାଙ୍କ ଗହଳି । ମହିଳାମାନେ ଘଣ୍ଟାଘଣ୍ଟା ଧାଡ଼ିରେ ଠିଆ ହୋଇ ସେମାନଙ୍କର ନାଁ ପଞ୍ଜିକରଣ କରାଉଥିବା ଦେଖିବାକୁ ମିଳିଥିଲା।
ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ଯାଇ ସୁଭଦ୍ରା ଫର୍ମ ବାଣ୍ଟିବା ସହିତ କେମିତି ଆବେଦନ କରିବେ ବୁଝାଉଛନ୍ତି । ଏହା ସହିତ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲରେ ମଧ୍ୟ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଫର୍ମ ମିଳୁଛି। ଆବେଦନ ପ୍ରକ୍ରିୟା ବି ଅତି ସହଜ ରହିଛି । ସୋମବାର ଠାରୁ ସୁଭଦ୍ରା ଯୋଜନାର ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ରାଜ୍ୟରେ ଆରମ୍ଭ ହୋଇସାରିଛି, ସୁଭଦ୍ରା ଯୋଜନାର ପଞ୍ଜୀକରଣ। ବିଭିନ୍ନ ଅଙ୍ଗୱାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ରରେ ଲାଗିଛି ମହିଳାଙ୍କ ଭିଡ଼। ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଦେବ ସରକାର। ଏଥୁପାଇଁ ବି ଜାରି ହୋଇଛି ଗାଇଡ ଲାଇନ୍।
ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ରହିଛି ଫର୍ମପୂରଣ ଓ ପଞ୍ଜୀକରଣ । ମହିଳାମାନେ ଉଭୟ ଇଂରାଜୀ ଓ ଓଡିଆରେ ଫର୍ମ ପୂରଣ କରିବାର ସୁବିଧା ରହିଛି । ଫର୍ମ ପୂରଣ କରିବା ଅତ୍ୟନ୍ତ ସହଜ ହୋଇଥିବା ବେଳେ ସବୁ ସହାୟତା ଯୋଗାଇ ଦେବେ ଏହି ବ୍ୟବସ୍ଥା ସହ ଜଡିତ ଥିବା ସରକାରୀ କର୍ମଚାରୀ ।
ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ର ମିଳୁଛି ଫର୍ମ । କର୍ମୀମାନେ ଘରକୁ ଘର ଯାଇ ସୁଭଦ୍ରା ଫର୍ମ ବାଣ୍ଟିବା ସହ କେମିତି ଫର୍ମ ପୂରଣ କରିବେ, କେଉଁଠି ଫର୍ମ ଦାଖଲ କରିବେ, କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ସେନେଇ ମହିଳାଙ୍କୁ ବୁଝାଉଛନ୍ତି ।
ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି। ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ଯାଇ ଦାଖଲ କରିପାରିବେ ।
ମନେ ରଖିବେ ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତାସହିତ ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ। ଧ୍ୟାନ ରଖିବେ ଯେ, ଆଧାରକାର୍ଡର E-Kyc ହୋଇଥିବା ଆବଶ୍ୟକ। ନଚେତ୍ ମୋବାଇଲ ନମ୍ବର ସହିତ ଆଧାର କାର୍ଡ ଲିଙ୍କ ହୋଇପାରିବ ନାହିଁ । ତେବେ ଏହାଥିଲା ଅଫଲାଇନ୍ ଆବେଦନ ପ୍ରକ୍ରୀୟା ଫର୍ମ ପୂରଣ ।
ଅନଲାଇନ୍ ଦ୍ୱାରା ବି ଆପଣ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଆପଣଙ୍କୁ wcd.odisha.gov.in େଓ୍ଵବସାଇଟକୁ ଭିଜିଟ କରିପାରିବେ । ସେଠାରେ ହୋମପେଜରେ ଆପଣଙ୍କୁ ଥ୍ରି ଡଟ୍ ମେନୁକୁ ଯିବେ । ସେଠାରେ ସର୍ବନିମ୍ନରେ ସୁଭଦ୍ରା ଅପ୍ସନ ଟପଅପ୍ ହେଉଥିବ । ତାହା ଉପରେ କ୍ଲିକ କରି ଆପଣ ଅନଲାଇନ୍ ମଧ୍ୟ ଆବଦେନ କରିପାରିବେ ।
ସୁଭଦ୍ରା ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ ହୋଇପାରିବେ । ଏ ନେଇ ଗାଇଡଲାଇନ୍ରେ ସ୍ପଷ୍ଟ କରିସାରିଛନ୍ତି ରାଜ୍ୟ ସରକାର । ବର୍ଷକୁ ଦୁଇଟି କିସ୍ତିରେ ମହିଳାଙ୍କୁ ଟଙ୍କା ମିଳିବ । ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ । ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ ମିଳିବ ଟଙ୍କା ।
ତେବେ କହିବାକୁ ଚାହିଁବୁ ଯେ ଆଜି ଉଦଘାଟିତ ହୋଇଛି ସୁଭଦ୍ରା କଲ୍ ସେଣ୍ଟର । ଓକାକ୍ ଠାରେ ସୁଭଦ୍ରା କଲ୍ ସେଣ୍ଟର ଉଦଘାଟିତ ହୋଇଛି । ଉଦଘାଟନ କଲେ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ସର୍ବସାଧାରଣଙ୍କ ସୁବିଧା ପାଇଁ ଖୋଲିଲା ସୁଭଦ୍ରା କଲ୍ ସେଣ୍ଟର । ନିଜର ସନ୍ଦେହ ଦୂର କରିବାକୁ ଫୋନ୍ ଆସୁଛି । ଦୈନିକ ୨୦ରୁ ୨୨ ହଜାର ଫୋନ୍ କଲ୍ ଆସୁଛି । ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ଯାଏ କଲ୍ ସେଣ୍ଟର ଖୋଲା ରହିବ ।
ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ୧୭ ତାରିଖ ପରେ ବି ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ଦିଆଯିବ । ଓଡିଶା ବିକାଶରେ ସୁଭଦ୍ରା ଯୋଜନା ମୂଳପିଣ୍ଡ ହେବ । ଯିଏ ଟଙ୍କା ଦାବି କରୁଛନ୍ତି କିମ୍ବା ଅଧିକ ଟଙ୍କା ମାଗୁଛନ୍ତି ସେ ନେଇ ଅଭିଯୋଗ କରନ୍ତୁ । ସୁଭଦ୍ରା କଲ୍ ସେଣ୍ଟରକୁ କଲ୍ କରି ଅଭିଯୋଗ ଜଣାନ୍ତୁ । ସୁଭଦ୍ରା କଲ୍ ସେଣ୍ଟର ନମ୍ବର ହେଉଛି ୧୪୬୭୮ ।