ମାଟି ତଳୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ, ବିଳମ୍ବିତ ରାତି ଯାଏ ଚାଲିଥିଲା ଅପରେସନ

ଯାଜପୁର (କେନ୍ୟୁଜ): ଦୁଇ ଦିନରେ ମାଟି ତଳୁ ଜବତ ହେଲା ୧୧ଟନ୍‌ ବିସ୍ଫୋରକ । ୨୨୦ ବସ୍ତା ଆମୋନିୟମ ନାଇଟ୍ରେଟ୍‌ ଜବତ କରାଯାଇଛି। ପ୍ରତି ବସ୍ତାର ଓଜନ ୫୦କେଜି ହୋଇଥିବାବେଳେ ପରିମାଣ ୧୧ଟନ୍‌ ରହିଛି। ଯାଜପୁର ଚଢ଼େଇଧରାସ୍ଥିତ ଗଙ୍ଗେଇ ଡୁବୁରୀ କଳାପଥର ଖଣି ନିକଟସ୍ଥ ଏକ ପଡ଼ିଆରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବିଭିନ୍ନ କଳାପଥର ପାହାଡ ପଟାଇବାକୁ ଏହି ବିସ୍ଫୋରକ ବ୍ୟବହାର କରାଯାଉଥିଲା।

ବେଆଇନ ଭାବେ ମାଟି ତଳେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଖବର ପାଇ ରାତିରେ ଧର୍ମଶାଳା ତହସିଲ ଓ ଜେନାପୁର ପୋଲିସ ଚଢ଼ାଉ କରିଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଓ ଜେସିବି ମେସିନ ସହାୟତାରେ ପଡିଆକୁ ଖୋଳାଯାଇଥିଲା । ବିଳମ୍ବିତ ରାତି ଯାଏ ଚାଲିଥିଲା ଅପରେସନ। ମାଟି ତଳୁ ବାହାରିଥିଲା ବସ୍ତା ବସ୍ତା ଆମୋନିଆ ସାର। କିଏ ଏହି ସବୁ ବିସ୍ଫୋରକ ମାଟି ତଳେ ରଖିଥିଲା ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ।

ଅନ୍ୟପଟେ ଜେନାପୁର ଥାନା ଅଞ୍ଚଳର କିଛି ଖଣି ମାଲିକ ଏହି ବିସ୍ପୋରକକୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଛିତ କରିଥିଲେ । ଘଟଣାରେ ଜେନାପୁର ପୋଲିସ ଦୁଇ ଜଣ ମାଲିକଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ସେମାନେ ଫେରାର ହୋଇ ଯାଇଛନ୍ତି. । ଏ ନେଇ ପ୍ରଶାସନ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ତହସିଲଦାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ବାରୁଦ ଗଦା ଉପରେ ଚଢେଇଧରା ଅଂଚଳ ରହିଥିବା ବେଳେ ପ୍ରଶାସନ କେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.