ମାନିଲେନି ଅମାନିଆ, କଟକର ଗଳିକନ୍ଦିରେ ଉଡ଼ାଇଲେ ଗୁଡ଼ି ; ୫ଦିନରେ ୮ ଆହତ

କଟକ : ପ୍ରାଣଘାତୀ ସାଜିଛି ମାଞ୍ଜା ସୂତା । ଚେତୁନାହାନ୍ତି ଗୁଡ଼ି ଉଡାଳି, ବ୍ୟବସାୟୀ କିମ୍ବା ପ୍ରଶାସନ । କଡା କଟକଣା ପରେ ମଧ୍ୟ ମାଞ୍ଜା ଓ ପ୍ଲାଷ୍ଟିକ ସୂତା ଉପରେ ଲାଗିପାରୁନି ରୋକ ।
ଖବର ଅନୁଯାୟୀ, ରବିବାର ଅନିକେତ ତ୍ରିଶୁଳିଆରୁ ନିଜ ଘର କଟକକୁ ଫେରୁଥିଲେ । ଏହି ସମୟରେ ରାଜେନ୍ଦ୍ର ନଗର ନିକଟରେ ଏକ ମାଞ୍ଜା ସୂତା ଅନିକେତଙ୍କ ଦେହରେ ଲାଗିଥିଲା । ଯାହାଦ୍ୱାରା ତାଙ୍କ ବେକ ଏବଂ ହାତ ଆଙ୍ଗୁଠିରେ କ୍ଷତ ଲାଗିଛି । ଏହାପରେ ଅନିକେତଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ହେବ କଟକରେ ଅଧିକ ପରିମାଣରେ ଗୁଡି ଉଡୁଛି । ତେଣୁ ଏସବୁକୁ ତୁରନ୍ତ ବନ୍ଦ କରିବାକୁ ଅନିକେତ ଦାବି କରିଛନ୍ତି ।
ତେବେ ଗତ ୫ଦିନରେ କଟକ ସହର ଓ ଉପକଣ୍ଠରେ ୮ଜଣ ପଥଚାରୀ ଆହତ ହୋଇଛନ୍ତି । ମାରାତ୍ମକ ମାଞ୍ଜା ସୂତା ବ୍ୟବହାର ଉପରେ ୨୦୧୬ ମସିହାରୁ ହାଇକୋର୍ଟଙ୍କ କଟକଣା ଥିବା ସତ୍ତ୍ବେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । କମିଶନରେଟ ପୋଲିସ ପକ୍ଷରୁ ମାଞ୍ଜା ଓ ପ୍ଲାଷ୍ଟିକ ସୂତା ଧରପଗଡ଼ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । କିନ୍ତୁ ଏହା ପ୍ରଶାସନର ପ୍ରହସନ ବୋଲି କହିଛନ୍ତି ଲୋକ ।