ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌, ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର

ଭୁବନେଶ୍ୱର(କେନ୍ୟୁଜ): ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌ । ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର । ଆପୋଷ ସମାଧାନ ମୁଡରେ ଦୁହେଁ ଆଗକୁ ବଢୁଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁ ହ୍ୟୁମାନ ସାଗରଙ୍କ ସମ୍ମାନରେ ଆଞ୍ଚ ଆସିବା ସହ କ୍ୟାରିଅର ପ୍ରଭାବିତ ହୋଇପାରେ । ଏଥିପାଇଁ ବିବାଦକୁ ଆଉ ଆଗକୁ ନବଢ଼ାଇ ତୁଟାଇବାକୁ ଉଭୟ ପରିବାର, କିଛି ସଂପର୍କୀୟ ଓ ଶୁଭେଚ୍ଛୁ ଚାହୁଁଥିବା କୁହାଯାଉଛି ।

ଏଦିଗରେ ଆଲୋଚନାରୁ ଖୁବଶୀଘ୍ର ଆସିପାରେ ସକାରାତ୍ମକ ନିଷ୍ପତ୍ତି । ଉଭୟ ହ୍ୟୁମାନ ଓ ଶ୍ରୀୟା ମିଡିଆରେ କହି ସାରିଛନ୍ତି, ବୁଝାମଣା ହୋଇଯାଉ ସେମାନେ ଚାହାନ୍ତି । ଶ୍ରୀୟା କହିଥିଲେ ପୁଣି ଥରେ ଘର ବସିଯାଉ ସେ ଚାହାନ୍ତି । ସେହିପରି ହ୍ୟୁମାନ କହିଥିଲେ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବୁଝାମଣା ରହିବା ଦରକାର । ତେଣୁ ଆଶା କରାଯାଉଛି ବିବାଦ ଆଉ ବେଶୀ ଆଗକୁ ବଢ଼ି ନପାରେ । ସ୍ୱାମୀ-ସ୍ତ୍ରୀ ଓ ଉଭୟ ପରିବାର ଏକାଠି ବସି ସମାଧାନର ବାଟ ବାହାର କରିବେ ବୋଲି ସୂଚନା ମିଳିଛି ।

ଆସନ୍ତା ୩୦ ତାରିଖରେ ଜଣା ପଡ଼ିବ ଦାମ୍ପତ୍ୟ ଝଗଡ଼ା କି ମୋଡ଼ ନେଇଛି । ସେଦିନ ହାଜର ହେବାକୁ କଟକ ମହିଳା ଥାନାରୁ ସମୟ ନେଇଛନ୍ତି ଶ୍ରୀୟା ମିଶ୍ର । ଏନେଇ ହ୍ୟୁମାନ ସାଗରଙ୍କୁ ବି ପୋଲିସ ଜଣାଇଛି । ଯଦି ୩୦ ତାରିଖରେ ଉଭୟ ହାଜର ନ ହୁଅନ୍ତି, ତେବେ ଶ୍ରୀୟାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହେବ । ତାପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.