ଗତକାଲିଠୁ ୨୬ଟି ପଞ୍ଚାୟତରେ ବିଜୁଳି ଉଭାନ୍, ଦୀର୍ଘ ଘଣ୍ଟା ହେଲା ଧାରଣାରେ ଶତାଧିକ ଚାଷୀ

ଉମରକୋଟ: ଗୋଟିଏ ପଟେ ଲୋ ଭୋଲ୍ଟେଜ୍ ଓ ଅପରପଟେ ଅଘୋଷିତ ବିଜୁଳି କାଟ୍ । ଯାହାକୁ ନେଇ ଦୁଇ ଦିନ ହେଲା ରାଇଘର ଅଞ୍ଚଳର ଚାଷୀ , ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସରଗୁଲି ଛକ ଓ ନିର୍ମାଣଧୀନ ଭାରତମାଳା ରାସ୍ତାକୁ ଅବରୋଧ କରି ରଖିଥିବା ବେଳେ, ଏପଟେ ରାଇଘର ବ୍ଲକ୍ ଏବଂ ୨୬ଗୋଟି ପଞ୍ଚାୟତରେ ଗତକାଲି ଦିନ ଦ୍ୱିପ୍ରହରରୁ ବିଜୁଳି ଉଭାନ୍ ହୋଇ ଯାଇଛି ।
ଖରାଦିନରେ ଅସହ୍ୟ ଗରମ ଯୋଗୁଁ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ରାତି ସମୟ କିପରି କାଟିବେ ତାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଗତକାଲି ଦିନ ତମାମ ରାଇଘର ତହସିଲଦାର ମୌସମୀ ସଜ୍ଜନ ଓ ବିଡିଓ ଲକ୍ଷ୍ମୀ ସାଗର ମାଝୀ ଓ ପୋଲିସ୍ ଏସଡିପିଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବାବେଳେ, ଏପଟେ ବିଦ୍ୟୁତ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ଏ ଯାଏ ପହଁଚି ନାହାଁନ୍ତି ।
ଅନ୍ୟପଟେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଆନ୍ଦୋଳନକାରୀଙ୍କ ଭୟରେ ବିଦ୍ୟୁତ୍ ତାର ମରାମତି କରି ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାକୁ ଯିବାକୁ ଭୟ କରୁଛନ୍ତି । ଏଠାରେ ସୂଚନା ଥାଉଯେ, ସମାନ ସମସ୍ୟାକୁ ନେଇ ଗତ ୨୦ତାରିଖରେ ଦୁଇ ଦିନ ରାସ୍ତା ଅବରୋଧ କରିଥିଲେ ପ୍ରଶାସନ । ଲୋ ଭଲ୍ଟେଜ୍ ଏବଂ ଅଘୋଷିତ ବିଜୁଳି କାଟ ସମସ୍ୟାର ସାମଧାନ ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତାରୁ ହଟିଥିଲେ, ହେଲେ ପ୍ରଶାସନର ପ୍ରତିଶୃତି ପାଣିର ଗାରଥିଲା । ଲୋ ଭଲ୍ଟେଜ୍ ଏବଂ ଅଘୋଷିତ ବିଜୁଳି କାଟ ସମସ୍ୟା ଯେମିତି ଥିଲା ସେମିତି ରହିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ଯୋଡ଼େଙ୍ଗା ଠାରେ ଏକ ଗ୍ରୀଡ଼ ଷ୍ଟେସନର ଉଦଘାଟନ କରିଥିଲେ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ ହେଇଯିବ ବୋଲି ପ୍ରକାଶ କରିଥିଲେ କିନ୍ତୁ କାମରେ ଲାଗୁନାହିଁ ନୂଆ ଗ୍ରୀଡ଼ । ଏଣୁ ପୁଣି ଆଜି ଦୁଇଟି ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।
ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗର ଉପଖଣ୍ଡ ଅଧିକାରୀ କହିଛନ୍ତି ସମସ୍ୟା ଦୀର୍ଘ ଦିନର ତେଣୁ ଫୁଲ ଭୋଲ୍ଟେଜ୍ ଆଣିବା ପାଇଁ କାମ ଚାଲିଛି ଯେତେ ଶୀଘ୍ର ଲୋକଙ୍କ ସମସ୍ୟା ସମାଧାନ ହେବ ଆମେ ଚେଷ୍ଟା କରିବୁ । ତେବେ ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ଦୀର୍ଘ ୨୭ଘଣ୍ଟା ହେଲା ଧାରଣାରେ ଶତାଧିକ ଚାଷୀ । ୨୬ ପଞ୍ଚାୟତରେ ବିଜୁଳି ଉଭାନ୍ । ଏଥର କିନ୍ତୁ ସମସ୍ୟାର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦରେ ଅଟଳ ଚାଷୀ । ଦେଖାଯାଉ ସମାଧାନର ରାସ୍ତା କେବେ ବାହାରୁଛି?
ଆହୁରି ପଢନ୍ତୁ: ଆଉ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ,ଏପ୍ରିଲ ୨ରୁ ୫ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା