ଭୋକରେ ଶତାଧିକ ଛାତ୍ରୀ: କାନ୍ଦି କାନ୍ଦି ପହଞ୍ଚିଲେ ବ୍ଲକ ଅଫିସ୍‌, ବଖାଣିଲେ ହଷ୍ଟେଲର ଦୁରବସ୍ଥା

ମୟୂରଭଞ୍ଜ (କେନ୍ୟୁଜ): ଖାଇବାକୁ ମିଳିଲାନି ବୋଲି ବ୍ଲକ କାର୍ଯ୍ୟାଳୟ ଆଗରେ କାନ୍ଦି କାନ୍ଦି ପହଞ୍ଚିଲେ ହଷ୍ଟେଲ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଠାକୁରମୁଣ୍ଡାରେ ଥିବା ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲରେ ସକାଳୁ ଅନ୍ତେବାସୀଙ୍କୁ ଖାଇବାକୁ ଦିଆଯାଇନଥିଲା। ଭୋକ ସମ୍ଭାଳି ନପାରି ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ଏକ କିମି ଦୂରରେ ଥିବା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦଥିବାରୁ ଅନ୍ତେବାସୀ ମାନେ ବ୍ଲକ ବସି ରହିଥିଲେ।

ସେମାନଙ୍କୁ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଢ ହୋଇଥିଲେ। ସେମାନେ ଭୋକରେ ଥିବା ଜାଣିବା ପରେ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ। ପରେ ଖବର ପାଇ ସ୍ଥାନୀୟ ଏବିଇଓ, ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସେଠାରେ ପହଞ୍ଚି ହୋଟେଲରୁ ଖାଦ୍ୟ ଆଣି ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ୱାର୍ଡେନ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବା ଅନ୍ତେବାସୀ ମାନେ ଅଭିଯୋଗ କରିଛନ୍ତି। ସେହିପରି ଗତକାଲି ରାତିରୁ ଗ୍ୟାସ ସରିଯାଇଥିବାରୁ ରୋଷେଇ ହୋଇନଥିବା ରୋଷେୟା କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.