ଆଜବେଷ୍ଟସ ଚୋରି ଘଟଣାକୁ ନେଇ ପ୍ରତିବାଦ, ସ୍କୁଲରେ ତାଲା ଦେଖି ଘରକୁ ଫେରିଲେ ଶତାଧିକ ଛାତ୍ର ଛାତ୍ରୀ

ଗୋପ: ଆଜବେଷ୍ଟସ ଚୋରି ଓ ପାଣି ଟାଙ୍କିରେ ମାଙ୍କଡ଼ ମୃତ୍ୟୁ ହେବା ପରେ ସେହି ପାଣିରେ ମଧ୍ୟାହ୍ନ ଭୋଜନ ରୋଷେଇ ହେବା ପ୍ରତିବାଦରେ ପରିଚାଳନା କମିଟି ଓ ଅଭିଭାବକଙ୍କ ପକ୍ଷରୁ ସ୍କୁଲରେ ତାଲା ପକାଇ ଧାରଣା ଦିଆ ଯାଇଥିଲା । ଫଳରେ ଶହଶହ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସି ଫେରିଛନ୍ତି । ତିନି ଚାରି ଦିନ ତଳେ ସ୍କୁଲରୁ ଖୋଲା ଯାଇଥିବା ଆଜବେଷ୍ଟସ ଚୋରି ହୋଇଥିଲା । ଏ ସମ୍ପର୍କରେ ଗୋପ ଥାନାରେ ସ୍କୁଲ ପ୍ରଧାନଶିକ୍ଷକ ଏକ ଏତଲା ଦେଇଥିବା ବେଳେ ପରିଚାଳନା କମିଟି ପକ୍ଷରୁ ମଧ୍ୟ ଏତଲା ଦିଆଯାଇଥିଲା ।
ସେହିପରି ଗୋଟିଏ ଛୁଆ ମାଙ୍କଡ଼ ପାଣି ଟାଙ୍କିରେ ପଡ଼ି ମୃତ୍ୟୁ ହେବା ପରେ ସେହି ପାଣିରେ ସ୍କୁଲର ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ଦିଆଯାଇଥିଲା । ପରେ ଏ ଘଟଣାକୁ ନେଇ ଅସନ୍ତୋଷ ଲାଗି ରହିଥିଲା। ଆଜି ସକାଳୁ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକମାନେ ସ୍କୁଲ ସମ୍ମୁଖରେ ତାଲା ପକାଇ ହୋ ହାଲ୍ଲା କରୁଥିବା ବେଳେ ଆଜବେଷ୍ଟସ ଯାଉଥିବା ଗାଡ଼ିକୁ ଅଟକ ରଖିଥିଲେ । ଫଳରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଏବଂ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା ।
ଘଟଣାର ସତ୍ୟସତ୍ୟ କଣ ତାହା ତ ଜଣା ପଡ଼ି ନାହିଁ । କିନ୍ତୁ ଘଟଣାକୁ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ପରିଚାଳନା କମିଟି ଓ ଅଭିଭାବକଙ୍କ ଦାବି ।