ନିଦାଘ ଖରାରେ ମିଳୁନାହିଁ ପିଇବା ପାଣି, ଗରା ବାଲ୍ଟି ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଁଞ୍ଚିଲେ ଲୋକେ

କାଖରେ ଗରା ଆଉ ହାତର ବାଲଟି ଧରି ଧାଇଁ ଆସୁଛନ୍ତି ମହିଳାମାନେ । ଆମର ଦାବି ପୂରଣ ହେଉ ଆମକୁ ପାଣି ଯୋଗାଇ ଦିଆଯାଉ ଆଦି ସ୍ଲୋଗାନ ଦେବା ସହ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ସମ୍ମୁଖରେ ଗରା, ବାଲଟି ରଖି ଧାରଣା ଦେଉଛନ୍ତି । ସେମାନଙ୍କର ଏକା ଜିଦ୍ ଯେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିବେ । ଗୁହାରି ନଶୁଣିଲା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ । ହଁ ଆଜ୍ଞା ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟାଙ୍ଗର ସାହି ଗାଁର କଥା । ଗାଁ ଲୋକଙ୍କ କହିବା ମୁତାବକ ବିଭିନ୍ନ ସମୟରେ ନେତା ମନ୍ତ୍ରୀ ଆସି ଗାଁ ଲୋକଙ୍କୁ ଆଶ୍ଵାସନା ଦେଇ ଚାଲିଯାଆନ୍ତି କିନ୍ତୁ କାମ କରନ୍ତି ନାହିଁ । ଏହି ପ୍ରତିବାଦରେ ଜଳକଷ୍ଟ ଭୋଗୁଥିବା ଟାଙ୍ଗସାହି ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରା ନଯାଏ ସେଯାଏଁ ଜିଲ୍ଲାପାଳଙ୍କୁ ସେମାନେ ଛାଡିବେ ନାହିଁ ବୋଲି କହିଥିଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ । ଖବର ପାଇବା ପରେ ପ୍ରକୋଷ୍ଠକୁ ଜିଲ୍ଲାପାଳ ଡାକି ଟାଙ୍ଗର ସାହି ଗାଁର ସମସ୍ୟା ଉପରେ ଅବଗତ ହେବା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ପ୍ରତିସୃତି ଦେଇଥିଲେ । ଏପରିକି ବ୍ଲକ ଉପାଧ୍ୟକ୍ଷ ସାତ ଦିନ ଭିତରେ ଗାଁରେ ନୂତନ ନଳକୂପ ଖନନ କରାଯାଇ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିସୃତି ଦେଇଥିଲେ ।

ଖରା ଆରମ୍ଭରୁ ହିଁ ଦେଖାଦେଲାଣି ଜଳକଷ୍ଟ । ଗାଁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ନଥିବାବେଳେ କେବଳ ଏକମାତ୍ର ସ୍କୁଲରେ ଥିବା ସୋଲାର ଚାଳିତ ନଳକୂପ ଉପରେ ହିଁ ସମସ୍ତଙ୍କ ଭରଷା । ପାନୀୟ ଜଳ ମୁନ୍ଦିଏ ପାଇଁ ଗାଁର ୨ଟି ଓାର୍ଡର ଲୋକେ ନଳକୂପ ଭରଷାରେ ଦିନ କାଟୁଛନ୍ତି । ଚାରୋଟି ନଳ କୂପରୁ ତିନୋଟି ଅଚଳ ପଡିଛି । ଗୋଟିଏ ନଳ କୂପରେ ଗ୍ରାମବାସୀ ଚଳୁଛନ୍ତି । ଗାଁର ଜନସଂଖ୍ୟା ୧୫ ଶହ । ବୀରମହାରାଜପୁର ବ୍ଲକ ପାଖରେ ଥାଇ ବି ଏଯାଏଁ ଟାଙ୍ଗରସାହି ଗ୍ରାମବାସୀ ପାନୀୟଜଳ ଯୋଗଣ ବ୍ୟବସ୍ଥାରୁ ବାଦ ପଡିଛନ୍ତି । ଗାଁଟି ସହର ପାଖରେ ଥିବାରୁ ଗାଁ ସାରା ଜଳଯୋଗାଣ ବ୍ୟବସ୍ଥା କରାଯାଇଛି, ହେଲେ ଗାଁକୁ ଏଯାଏଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରିଲାନାହିଁ । ଏଣୁ ଗାଁରେ ଥିବା ସ୍କୁଲର ଏକମାତ୍ର ସୋଲାର ନଳକୂପ ଉପରେ ଗାଁ ଲୋକେ ଭରଷା କରି ଚଳୁଛନ୍ତି । ପାଣି ଗରାଏ ପାଇଁ ମହିଳାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଟାଙ୍ଗର ସାହି ଗାଁ ଲୋକଙ୍କୁ ତୁରନ୍ତ ପିଇବାପାଣି ଯୋଗାଇଦେବା ଅଭିଯୋଗ ହୋଇଛି । ସେପଟେ ସମସ୍ୟାର ସମାଧାନ କରାଯିବ ବୋଲି ଜଳ ଓ ପରିମଳ ବିଭାଗ ଅଧିକାରୀ କହିଛନ୍ତି ।

ଗାଁ ଗାଁରେ ଲୋକେ ଯେମିତି ବିଶୁଦ୍ଧ ପାନୀୟ ଜଳ ପାଇବେ ସେନେଇ ସରକାର କରୁଛନ୍ତି ଅନେକ ଯୋଜନା । ହେଲେ ଦୀପ ତଳ ଅନ୍ଧାର ଭଳି ସ୍ବାଧିନତାର ଏତେ ବର୍ଷ ପରେ ବି ଗାଁରେ ଏଯାଏଁ ହୋଇପାରି ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ଖୋଦ ସହର ପାଖରେ ଥିବା ଟାଙ୍ଗର ସାହି ଗାଁରେ ପାନୀୟ ଜଳ ଯୋଗାଣ ହୋଇପାରି ନଥିବାରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଗାଁ ଲୋକେ ।