ଶିକାରୀ ଭାବି ଉଠାଇ ଆଣିଲେ ନିର୍ଘାତ ପିଟିଲେ ଆଉ ଛାଡି ଦେଲେ ବନବିଭାଗ

ଉଦଳା : ଘରୁ ମୋ ପୁଅକୁ ଉଠାଇ ନେଲେ ପିଟିଲେ ଆଉ ଛାଡ଼ିଦେଲେ । ମୁଁ ବିରୋଧ କରିବାରୁ ମୋତେ ଗୁଳି କରିଦେବେ ବୋଲି ବନ୍ଧୁକ ଦେଖାଇଲେ । କହିଲେ ମୋ ପୁଅ କୁଆଡ଼େ ଶିକାର କରିବାକୁ ଜଙ୍ଗଲ ଯାଇଥିଲା । ତାର ଫଟୋ ରହିଛି । ପିଟିବା ପରେ ଯେତେବେଳେ ନିର୍ଦ୍ଦୋଷ ବୋଲି ଜାଣିବାକୁ ପାଇଲେ ସେତେବେଳେ ତୋ ପୁଅକୁ ଆସିକି ନେଇଯାଅ ବୋଲି କହିଥିଲେ । ଡାକ୍ତରଖାନାରେ କହିବନି ମାଡ଼ ହୋଇଛି ବୋଲି ଯଦି କହିବ ପୁଣି ଜେଲକୁ ଆଣି ପିଟିବୁ । ଏ ହେଉଛି ମାଡ଼ ଖାଇଥିବା ଗୋଟିଏ ପୁଅ ବାପାର କଥା ।

ହଁ ଆଜ୍ଞା, ଶିକାରୀ ଭାବି ଉଠାଇ ଆଣିଲେ ନିର୍ଘାତ ପିଟିଲେ ଆଉ ଛାଡି ଦେଲେ । ଏପରି ଅଭିଯୋଗ ଆସିଛି ଡୁକୁରା ବନ ବିଭାଗ ନାଁରେ । ଡୁକୁରା ରେଞ୍ଜ ବଣିଆଦର ଗାଁରୁ ଶିକାରୀ ଭାବି ଦଶରଥ ମଳିକକୁ ମଙ୍ଗଳବାର ଉଠାଇ ଆଣିଥିଲା ଡୁକୁରା ବନବିଭାଗ । ନିର୍ଘାତ ମାଡ଼ ମାରିବା ପରେ ଶିକାରୀ ନୁହଁ ଜାଣିପାରି ଛାଡି ଦେଇଥିଲେ ବନ ବିଭାଗ ।

ତେବେ ପୁରା ଘଟଣା ଥିଲା ଏପରି, ଗତ ମଙ୍ଗଳବାର ଦିନ ରାତିରେ ବନ ବିଭାଗ ବଣିଆଦର ଗାଁ ରୁ ୬ଜଣ ଶିକାରୀଙ୍କୁ ଉଠାଇ ଆଣିଥିଲା । ସେଥି ମଧ୍ଯରୁ ଦଶରଥକୁ ବନ ବିଭାଗ ନିର୍ଘାତ ପିଟିଥିବା ଅଭିଯୋଗ ହୋଇଛି । ବନ ବିଭାଗ ଦଶରଥ ନିକଟରୁ କିଛି ପ୍ରମାଣ ନ ପାଇବାରୁ ତାକୁ ଆଜି ବନ ବିଭାଗ ଛାଡି ଦେଇଛି । ହେଲେ ବନ ବିଭାଗର ମାଡରେ ଦଶରଥର ଗୋଡ଼ ଓ ପିଠିରେ ମାଡ ଚିହ୍ନ ରହିଥିବା ବେଳେ ଏହି ମାଡ ସମ୍ପର୍କରେ କାହାକୁ ଜଣାଇଲେ ଦଶରଥ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଶରଥକୁ ଧମକ ଦେଇଛନ୍ତି ବନ ବିଭାଗ । ଏ ନେଇ ଦଶରଥ ଉଦଳା ଥାନାରେ ଅଭିଯୋଗ କରିଛନ୍ତି ।ସେପଟେ ଏ ସମ୍ପର୍କରେ ବନ ବିଭାଗର ରେଞ୍ଜରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।