ସ୍ତ୍ରୀ କୁ ମାରି ସ୍ବାମୀ, ୨ ଦିଅର ଗିରଫ
କେନ୍ଦ୍ରାପଡା : ୬ ବର୍ଷ ତଳେ ସ୍ବାମୀ ହାତ ଧରି ଶାଶୂଘର ଆସିଥିଲେ ପଦ୍ମାବତୀ । ଜଗନ୍ନାଥ –ପଦ୍ମାବତୀଙ୍କର ଏ ଥିଲା ଦ୍ବିତୀୟ ବିବାହ । ବାହାଘର ପରେ ବେଶ୍ କିଛି ଦିନ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । ତା ପରେ ପଦ୍ମାବତୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ହେଲେ ବଡ଼ ଦୁଃଖର କଥା ପିଲାଟି ଜନ୍ମରୁ ଦିବ୍ୟାଙ୍ଗ । ଦୁନିଆ କଣ ଜାଣିବା, ବୁଝିବା ପୂର୍ବରୁ ଏତିକି ଦୁଃଖ କଣ ତା ଜୀବନରେ କମ୍ ଥିଲା ଯେ ଏବେ ଏଇ ୩ ବର୍ଷର ଭିନ୍ନକ୍ଷମ ଶିଶୁଟି ତା ମା’କୁ ହରାଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ତା ନିଜ ବାପା ଓ ଦାଦାଙ୍କ ହାତରେ ଯାଇଛି ମା’ର ଜୀବନ । ଏବେ ଜେଜେମା ଓ ଜେଜେ ବାପାଙ୍କ କୋଳର ଆଶ୍ରୟ ନେଇଛି ଆଉ ତା ମା’କୁ ଖୋଜି ହେଉଛି । ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର । ଦୀର୍ଘ ୬ ବର୍ଷର ପାରିବାରିକ ଜୀବନ ବିତିଲା ପରେ ମଧ୍ୟ ନିଜ ସ୍ତ୍ରୀ କୁ ମାରିଦେଲେ ନିଜ ସ୍ବାମୀ ଓ ୨ ଦିଅର l ପଦ୍ମାବତୀଙ୍କୁ ହରାଇ ତାଙ୍କ ମାଆ ବାପାଙ୍କ ଆଖିରେ ଲୁହ ଶୁଖୁନଥିବା ବେଳେ ଏପଟେ ମା କୁ ହରାଇ ଝୁରି ହେଉଛି ୩ ବର୍ଷର ଝିଅ ।
ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଭିତର ଶୋବଳା ଗାଁର ସନିଆ ଦେହୁରୀଙ୍କ ବଡ ପୁଅ ଅଭିଯୁକ୍ତ ଜଗନ୍ନାଥ ଦେହୁରୀ ପ୍ରାୟ ୬ ବର୍ଷ ପୂର୍ବେ ସେହି ଥାନା ଅନ୍ତର୍ଗତ ଆଡୋଇ ଗାଁର ଦିବାକର ସାମଲଙ୍କ ସାନ ଝିଅ ପଦ୍ମାବତୀ ସାମଲଙ୍କୁ ପ୍ରେମ କରି ଦ୍ବୀତୀୟ ବିବାହ କରିଥିଲେ l ପୂର୍ବରୁ ମଧ୍ୟ ପଦ୍ମାବତୀ ମଧ୍ୟ ବିବାହିତ ଥିଲେ ସେଠାରୁ ବାହାରି ଆସି ଭିତର ଶୋବଳା ଗାଁରେ ଦ୍ବିତୀୟ ବିବାହ କରିଥିଲେ l ହେଲେ ପଦ୍ମାବତୀଙ୍କ ଶାଶୂଘର ଲୋକେ ବୋହୁକୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଉଥିଲେ । ଶାଶୂଘର ଲୋକଙ୍କ ମାରପିଟ, ଗାଳିଗୁଲଜ ସହି ନପାରି ପଦ୍ମାବତୀ ଅନେକ ସମୟରେ ବାପଘରେ ରୁହଁନ୍ତି l
ପ୍ରାୟ ଏକ ମାସ ପୁର୍ବରୁ ଗାଁ ଲୋକେ ଓ ଭଦ୍ରଲୋକଙ୍କ ସହାୟତାରେ ଶଶୂର ଘରୁ ନିଜ ସ୍ତ୍ରୀ କୁ ନେଇଥିଲେ ଅଭିଯୁକ୍ତ ଜଗନ୍ନାଥ l ପରେ ଝିଅ କୁ ମେଡିକାଲରେ ଚିକିତ୍ସା ବାହାନାରେ ଘରୁ ପଦ୍ମାବତୀଙ୍କୁ ଡାକି ନେଇ କଟକର କନ୍ଦରପୁର ଠାରେ ନିଜ ସାନ ଭାଇଙ୍କ ସହ ମିଶି ତାଙ୍କୁ ମାରିଥିଲେ ବୋଲି ପୋଲିସ ସମ୍ମୁଖରେ ସ୍ବିକାର କରିଛନ୍ତି ଅଭିଯୁକ୍ତ ସ୍ବାମୀ l ଏନେଇ ପଦ୍ମାବତୀଙ୍କ ପରିବାର ନ୍ୟାୟ ପାଇଁ ଗୁହାରୀ କରିଥିବା ବେଳେ ଅଭିଯୁକ୍ତଙ୍କ ଗ୍ରାମବାସୀ ଭିତର ଶୋବଳ ର ଲୋକମାନେ ଉକ୍ତ ପରିବାରର କୁ ଉଚିତ୍ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି l ପଦ୍ମାବତୀ ମୃତ୍ୟୁ ପାଇଁ ଶାଶୁ ମୁଖ୍ୟ ଅଭିଯୁକ୍ତ ବୋଲି ଦାବି କରିଛନ୍ତି ଉଭୟ ଗ୍ରାମବାସୀ l