ଝିଅ ହେଲା ବୋଲି ସ୍ତ୍ରୀକୁ ଛାଡ଼ପତ୍ର ପାଇଁ ଆବେଦନ କଲା ସ୍ୱାମୀ

ବାଲେଶ୍ୱର: ଏବେ ଆମ ସମାଜର ପ୍ରତି କୋଣରେ ଶୁଣିବାକୁ ମିଳୁଛି ‘କନ୍ୟା ରତନ, କର ଯତନ’ । କାହିଁକି ନା ଆଜିକା ସମୟରେ ପୁଅ ଏବଂ ଝିଅ ସବୁ ସମାନ । ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ତଥାପି ଆଜି ବି ଏହିପରି ଅନେକ ଉଦାହରଣ ଏହି ଶିକ୍ଷିତ ସମାଜରେ ଦେଖିବାକୁ ମିଳେ ଯେଉଁଠାରେ ଝିଅଟିକୁ ଖରାପ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ଜନ୍ମ ହେଉ ହେଉ ଖୁସି ପରିବର୍ତ୍ତେ ପରିବାର ଲୋକେ ଦୁଃଖ ପ୍ରକାଶ କରିଥାନ୍ତି । ଏପରିକି ପ୍ରସବ କରୁଥିବା ମାଆକୁ ମଧ୍ୟ ଅପମାନ ଶୁଣିବାକୁ ପଡିଥାଏ, ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଥାଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କନ୍ୟା ସନ୍ତାନକୁ ଏବେ ବି ବୋଝ ଭାବୁଛନ୍ତି ।

ଆଜି ବି ଆମ ସମାଜରେ ଏମିତି ମାନସିକତାର ଲୋକ ଅଛନ୍ତି ପୁଅ ଝିଅ ଭିତରେ ଭେଦଭାବ କରୁଛନ୍ତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖନ୍ତୁ ଏହି ଭିଡିଓ । ମହିଳାଙ୍କୁ ଗେଟ୍ ଭିତରୁ ତାଲା ପକାଇଦେଇଛନ୍ତି ଶାଶୁ ଘର ଲୋକେ । ଯାହାର କାରଣ ହେଉଛି, କୁଆଡେ ମହିଳା ଜଣକଙ୍କ ଝିଅ ଜନ୍ମ କରିଛନ୍ତି । ଝିଅ ହେଲା ବୋଲି ସ୍ତ୍ରୀକୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ସ୍ୱାମୀ । ନିଜ ସ୍ତ୍ରୀକୁ ଘରୁ ବାହାର କରିଦେବା ସହ ଗେଟ୍ ଭିତରୁ ତାଲା ପକାଇଦେଇଛନ୍ତି । ସ୍ତ୍ରୀ ଜଣକ ନା ଘରକୁ ଯାଇପାରୁଛନ୍ତି ନା ବାହାରକୁ ।

ଏପଟେ ନିଜ ଶଳା ସହିତ ନିଜର ଦୁଇ ଝିଅଙ୍କୁ ଘର ଭିତରେ ତାଲା ପକାଇଦେଇଛନ୍ତି ଏହି ନିର୍ଦ୍ଦୟୀ ସ୍ୱାମୀ । ତେବେ ବାଲେଶ୍ୱର ରେମୁଣାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଖବର ମୁତାବକ, ୨୦୧୧ ମସିହାରେ ବସନ୍ତ ସାହୁଙ୍କ ସହିତ ସୁମିତ୍ରା ସାହୁଙ୍କ ବିବାହ ହୋଇଥିଲା । ପରେ ଏମାନଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ ।

ଝିଅ ଜନ୍ମକୁ ନେଇ ବସନ୍ତ ସବୁବେଳେ ସ୍ତ୍ରୀ ସୁମିତ୍ରାକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏମିତିକି ଜଣେ ନିକଟ ସମ୍ପର୍କୀୟଙ୍କୁ ଦ୍ଵିତୀୟ ବିବାହ କରିବା ପାଇଁ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ବସନ୍ତ କୋର୍ଟର ଆଶ୍ରୟ ବି ନେଇଛନ୍ତି । ଗତକାଲି ଏହି ମାମଲାରେ କାଉନସେଲିଂ ପାଇଁ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲେ । କାଉନସେଲିଂ ସାରି ଘରକୁ ଆସିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି ସ୍ୱାମୀ । ଏପଟେ ସୁମିତ୍ରା କହିଛନ୍ତି ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିବା ସହ ନିଜ ସାନ ଭାଇ, ଭାଇ ବୋହୂ ଓ ମାଆଙ୍କ ସହ ବସନ୍ତ ତାଙ୍କ ଭାଇ ଓ ଦୁଇ ଝିଅଙ୍କୁ ତାଲା ପକାଇ ବନ୍ଦ କୋଠରୀରେ ରଖିଛନ୍ତି ।

ତେବେ ଏନେଇ ଖବର ପାଇ, ଦୀର୍ଘ ୮ଘଣ୍ଟା ପରେ ରେମୁଣା ପାଲିସ୍ ଘଟଣାସ୍ଥଳରେ ପହଁଚି ତାଲା ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ରେମୁଣା ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି । ଯଦି ମହିଳାଙ୍କ ଅଭିଯୋଗ ସତ, ଥରେ ଭାବିଲେ କେତେ ନିନ୍ଦନୀୟ କଥା । ଆଜିକା ସମୟରେ ଝିଅମାନେ କୌଣସି ଗୁଣରେ ବି ପୁଅଙ୍କ ଠାରୁ କମ୍ ନୁହଁନ୍ତି । ତଥାପି କିଛି ଲୋକଙ୍କର ଏଭଳି ମାନସିକତା ପାଇଁ ଆଜି କିଛି ମହିଳାମାନଙ୍କୁ ଏଭଳି ନିର୍ଯାତନାର ସାମ୍ନା କରିବାକୁ ପଡୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like