ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀ ସହ ଝଗଡା ପରେ ଜାଳିଦେଲା ନିଜ ଘର

ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ଘର । ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ସବୁ କିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଘରକୁ ପାଉଁଶ କରିଦେଲା । ପୋଡି ଜଳି ଛାରଖାର ହୋଇଯାଇଛି ଘର ଭିତରେ ଥିବା ଜିନିଷପତ୍ର । ହେଲେ ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା କେମିତି? କେମିତି କେହି ଜାଣି ପାରିଲେ ନାହିଁ? ତେବେ ଅଗ୍ନିକାଣ୍ଡ ପଛର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତରେ ଦେବେ । କାହିଁକି ନା ଏ ଘରଟି ଯାହାର ସେ ନିଜେ ହିଁ ନିଜ ଘର ଜାଳିଦେଇଛି ।

ହଁ ଆଜ୍ଞା ନାଲି ପାଣି କଲା ଏମିତି କମାଲ ଯେ ଘର ଧ୍ବଂସ ହୋଇଗଲା । ନିଶାସକ୍ତ ସ୍ୱାମୀ ଘଟାଇଛି ଏଭଳି ଉନ୍ମତ୍ତ କାଣ୍ଡ । ପାରିବାରିକ କଳହରୁ ଘଟି ଯାଇଛି ଏଭଳି ଅଘଟଣ । ସ୍ୱାମୀ ସ୍ତ୍ରୀ ଝଗଡା ପରେ ରାଗି ଯାଇ ସ୍ୱାମୀ ଏମିତି । ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ସମେତ ଘରର ସମସ୍ତ ଆସବାବପତ୍ର । ଧାନ ଚାଉଳ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ନିଆଁରେ ସ୍ବାହା ହୋଇ ଯାଇଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଡୁଙ୍ଗୁରା ପଞ୍ଚାୟତ କିଶୋରନଗର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ନିଶାସକ୍ତ ଅବସ୍ଥାରେ ନିଜ ହାତରେ ନିଜ ଭାଗ୍ୟକୁ ଉଜାଡ଼ି ଦେଇଛି ମଦ୍ୟପ ସ୍ୱାମୀ । ବୁଧବାର ଦିନ ମଧୁସୂଦନ ବାରିକ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ମଧ୍ୟରେ କୌଣସି କାରଣଙ୍କୁ ନେଇ ଝଗଡା ହୋଇଥିଲା । ଫଳରେ ଲକ୍ଷ୍ମୀପ୍ରିୟା ରାଗି କରି ଗାଁର ଜଣେ ପଡ଼ୋଶୀଙ୍କ ଘରକୁ ପଳାଇ ଯାଇଥିଲେ । ଏଥିରେ ମଧୁସୂଦନ ଆହୁରି ରାଗି ଯାଇଥିଲେ । ସେ ଭୀଷଣ ଉତକ୍ଷିପ୍ତ ହୋଇ ନିଜ ଘରେ ନିଆଁ ଲଗାଇ ଦେଇଥିଲେ ।

ତେବେ ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଯାହାପରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ମଦ କିଭଳି ଘର ପରିବାରକୁ ନଷ୍ଟ କରିଦିଏ ଇଏ ହେଉଛି ଏକ ଜ୍ବଳନ୍ତ ଉଦାହରଣ । ନିଜ କର୍ମ ପାଇଁ ଏବେ ନିଜେ ଲୁହ ଗଡ଼ାଇବା ଛଡ଼ା ମଧୁସୂଦନ ପାଖରେ ଆଉ କିଛି ବାଟ ନଥିବ ।

Also read: ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ହାତରେ ଖଣ୍ଡା ଧରି ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ