ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ, ସହାୟତା ପାଇଁ ସ୍ତ୍ରୀର ଆକୁଳ ନିବେଦନ

ଭଦ୍ରକ: ପରିବାର ଆଖିରୁ ଶୁଖୁନି ଲୁହ । ହସଖୁସିରେ ଚାଲିଥିବା ପରିବାରରେ ହଠାତ୍ ଘୋଟିଗଲା କଳାବାଦଲ । ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । କାରଣ ରୋଗର ଚିକିତ୍ସା ପାଇଁ ଅଥର୍ ସାଜିଛି ବାଧକ । ଏ ହେଉଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତ ଗଦଳା ଗାଁର ଶ୍ୟାମସୁନ୍ଦର ସାହୁ । ବୟସ ମାତ୍ର ୫୨ ବର୍ଷ ହେବ। ସ୍ତ୍ରୀ ଓ ୧୬ବର୍ଷର ପୁଅକୁ ନେଇ ଚଳୁଥିଲା ଖୁସିର ସଂସାର । କହିଲେ କେବଳ ରୋଜଗାରିଆ ଥିଲା ଶ୍ୟାମସୁନ୍ଦର । ସେ ବିଭିନ୍ନ ଯାଗାରେ ବୁଲି ମୁଲିଆ ଭାବେ ଯାହା ରୋଜଗାର କରି ଆଣେ ସେଥିରେ ସୁରୁଖୁରୁରେ ନିଜର ସ୍ତ୍ରୀ ଓ ଛୁଆ ଚଳିଯାଆନ୍ତି । ହେଲେ ସେ ଏବେ କ୍ୟାନସର ରୋଗରେ ପୀଡ଼ିତ ହୋଇ ଶଯ୍ୟାରେ ଦିନ କାଟୁଛନ୍ତି । ଘର ଚଳିବା ଏବେ ତାଙ୍କ ପାଇଁ ହୋଇ ପଡିଛି କଷ୍ଟକର । ଯାହା ବି ସୁନା ଗହଣା ଓ ଜମିବାଡି ଥିଲା ତାକୁ ବିକି ଭାଙ୍ଗି ଡାକ୍ତରଖାନାରେ ଶ୍ୟାମସୁନ୍ଦର ପାଇଁ ଖର୍ଚ୍ଚ ହୋଇସାରିଛି । ଅଧିକ ଚିକିତ୍ସା ପାଇଁ ବାରମ୍ବାର ବ୍ଲକ ପ୍ରଶାସନରୁ ଜିଲା ପ୍ରଶାସନ ପାଖରେ ସହାୟତା ପାଇଁ ହାତ ପାତିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ପାଣ୍ଠିରୁ ଟଙ୍କାଟିଏ ବି ସାହାୟତା ମିଳିପାରି ନାହିଁ । ଯାହା ଫଳରେ ଅର୍ଥ ଅଭାବରୁ ଚିକିତ୍ସା କରାଇନପାରି ଭାଗ୍ୟକୁ ଆଦରି ପଡି ରହିଛନ୍ତି ପରିବାର ।

ଗାଁ ଗାଁ ବୁଲି ଯାହା କିଛି ପାଖରେ ଟଙ୍କା ସଂଚୟ କରିଥିଲା ସବୁ ତକ ଖର୍ଚ୍ଚ ହୋଇଯାଇଛି । ବର୍ତ୍ତମାନ ହାତ ଖାଲି । ଡାକ୍ତରଙ୍କ କଥାରେ ଅପରେସନ ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଦରକାର । କେଉଁଠୁ ଆସିବ ଏତେ ଟଙ୍କା ? ସ୍ୱାମୀର ଚିକିତ୍ସା ହେବ ତାକୁ ନେଇ ଏବେ ଚିନ୍ତାରେ ସ୍ତ୍ରୀ ମଂଜୁଲତାରର । ତେଣୁ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଓ ଗାଁ ଲୋକ । ଅନ୍ୟପଟେ ଯାହା ବି ଜମି ଥିଲା ସବୁ ଶ୍ୟାମସୁନ୍ଦର ପାଇଁ ବିକି ଖର୍ଛ କରିଦେବା ପରେ ଏବେ ଏକ ପୋଖରୀ ହୁଡାରେ ନଡା ଛପର ଘରେ ଜରିପାଲ ଘେରି ଗୋରୁ ଗାଇଙ୍କ ସହିତ ରହୁଛନ୍ତି ପରିବାର । ଜରିପାଲ କଣା ହୋଇଯାଇଥିବା ବେଳେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି । ବର୍ଷାଦିନ କଥା ନକହିବା ଭଲ । ବର୍ଷା ପାଣିରେ ଭିଜି ବିଭିନ୍ନ ରୋଗରେ ପଡ଼ୁଥିବା କଥା କହିଛନ୍ତି ସ୍ତ୍ରୀ ମଂଜୁଲତା ।

ଦୀର୍ଘ ୧୧ ବର୍ଷ ହେବ ଶ୍ୟାମସୁନ୍ଦର ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇପଡିଲେ । ପରିବାର ଲୋକ ପ୍ରଥମେ ଭଦ୍ରକ, ପରେ ବାଲେଶ୍ୱର, କଟକ, ଭୂବନେଶ୍ୱର ମେଡିକାଲରେ ଦେଖାଇ ବହୁ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ରୋଗ ଭଲ ହେଇନଥିଲା । ଏବେ ସେ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ । ଶେଷରେ ୨୦୨୩ମସିହାରେ ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନାକୁ ଦେଖାଇବା ପାଇଁ ଯାଇଥିଲେ । ସେତେବେଳେ ଡାକ୍ତର ତାଙ୍କୁ ଔଷଧ ଦେଇ ପଠାଇ ଦେଥିଲେ । ଯାହା ତାଙ୍କ ପାଖରେ ସମ୍ବଳ ଥିଲା ଭଲ ହେବା ପାଇଁ ସେତେବେଳେ ସେ ସବୁ କିଛି ଖର୍ଚ୍ଚ କରି କରିଦେଇଥିଲେ । ଆସ୍ତେ ଆସ୍ତେ ଭଲ ହେଲା ଭଳି ଆଗକୁ ବଢୁଥିବାବେଳେ ହଠାତ୍ ପୁଣି ଥରେ ସେହି ସ୍ଥାନରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ପୁଣି ପରିବାର ଲୋକ କିଛି ଗାଁ ଲୋକଙ୍କ ସାହାଯ୍ୟରେ ଆଚାର୍ଯ୍ୟ ହରିହର କେନସର ଡାକ୍ତରଖାନାରେ ପୁଣି ଦେଖାଇଥିଲେ । ହେଲେ ଡାକ୍ତର ତାଙ୍କୁ ତୁରନ୍ତ ଅପରେସନ କରାଯିବ ବୋଲି କହିଛନ୍ତି । ନହେଲେ କିଛି ବି ହୋଇପାରେ । ଏବେ ପରିବାର ଲୋକ କେଉଁଠୁ ଏତେ ଟଙ୍କା ଆଣିବେ ଆଉ ଚିକିତ୍ସା କରିବେ ସେଥିପାଇଁ ଚିନ୍ତା ଘାରିଛି । ଏମିତିକି ମେଡିସିନ ଖାଇବା ଓ ବସରେ କଟକ ପର୍ଯ୍ୟନ୍ତ ଯିବା ପାଇଁ ସମ୍ବଳ ନାହିଁ । ତେଣୁ ଅର୍ଥ ଅଭାବରୁ ଚିକିତ୍ସା କରିନପାରି ଏବେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ପରିବାର । ଯଦି ସରକାରୀ,ବେସରକାରୀ ସଂସ୍‌ଥା ଓ ସହ ହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ଶ୍ୟାମ ଶୁନ୍ଦରର ସ୍ତ୍ରୀ । ଅନ୍ୟପେକ୍ଷ ଯାହା ସରକାରୀ ସୁବିଧା ଅଛି ବ୍ଲକ ପକ୍ଷରୁ ସାହାଯ୍ୟ କରାଯିବ ବୋଲି କହିଛନ୍ତି ବିଡିଓ ।