ଘରୋଇ କଳହ ହେଲା କାଳ, ହାତୁଡିରେ ବାଡ଼ାଇ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଯାଜପୁର ରୋଡ(କେନ୍ୟୁଜ):  ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ମୃତା ମହିଳାଙ୍କ ନାମ ଦିପ୍ତିମୟୀ ଜେନା ଓ ତାଙ୍କୁ ହତ୍ୟା କରିଥିବା ସ୍ବାମୀଙ୍କ ନାମ ଅରୁଣ ଜେନା। ଉଭୟେ ସ୍ବାମୀ ସ୍ତ୍ରୀ ସରକାରୀ ଶିକ୍ଷକ ବୋଲି ଜଣାପଡିଛି। ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୁତାବକ ଏହି ଶିକ୍ଷକ ଦମ୍ପତି ଗତ ୯ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

ବହୁ ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ବାଡିଆପିଟା ମଧ୍ୟ କରୁଥିଲେ। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା। ସକାଳୁ ସ୍ତ୍ରୀ ଦିପ୍ତିମୟୀ ଠାକୁର ପୂଜା କରୁଥିବା ସମୟରେ ତାଙ୍କ ସ୍ବାମୀ ଅରୁଣ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏକ ଲୁହା ହାତୁଡ଼ି ସହାୟତାରେ ତାଙ୍କ ମୁଣ୍ଡକୁ ବାରମ୍ବାର ପିଟି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ଦିପ୍ତିମୟୀଙ୍କର ମୃତ୍ୟୁ ହୋଇଥିଲା। ପରେ ଖବର ପାଇ କୋରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କୋରାଇ ମେଡ଼ିକାଲକୁ ଆଣିଛି। ଏଥିସହିତ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.