ପିଶାଚ ସ୍ବାମୀ, କେଇଟା ଟଙ୍କା ପାଇଁ ପିଟିପିଟି ସ୍ତ୍ରୀର ଜୀବନ ନେଇଗଲା

ନୟାଗଡ: ରକ୍ଷକ ସାଜିଲା ଭକ୍ଷକ । ଯୋଉ ସ୍ତ୍ରୀର ହାତ ଧରି ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା । ଆଜି ସେହି ସ୍ତ୍ରୀର ଜୀବନ ନେବାକୁ ପଛାଇନି ସ୍ବାମୀ । ଯୌତୁକ ଲୋଭ ସ୍ବାମୀକୁ କରିଥିଲା ଅନ୍ଧ । ବର୍ବରତାର ସବୁ ସୀମା ପାର୍ କରିଦେଲା ପିଶାଚ ସ୍ବାମୀ । କେଇଟା ଟଙ୍କା ପାଇଁ ସ୍ତ୍ରୀ ସହ ଏପରି କାଣ୍ଡ କରି ବସିଲା । ସ୍ତ୍ରୀକୁ ପିଟିପିଟି ଜୀବନ ନେଇଗଲା । ଆଜି ସ୍ତ୍ରୀ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ପଡିଛି । ପାଖରେ ବାପା ଓ ଭାଇ ଭଉଣୀ ମା’ଛିଡା ହୋଇଛନ୍ତି ଛାତିକୁ ପଥର କରି । ଏଇ ତ ୧୪ ବର୍ଷ ତଳେ ଝିଅକୁ ବାହା ଦେଇଥିଲେ । ହେଲେ ଯାହା ହାତରେ ଝିଅକୁ ଟେକି ଦେଇଥିଲେ ସେହି ହାତ ଆଜି ମାରିଦେଇଛି ଝିଅକୁ । ଯିଏ ମଥାରେ ସିନ୍ଦୁର ପିନ୍ଧାଇ ସବୁଦିନ ପାଇଁ ନିଜର କରିଥିଲା, ସାତଜନ୍ମର ସାଥି କରିଥିଲା, ଆଜି ସେହି ମଣିଷ ସାତ ଜନ୍ମ କଣ ୧୪ ବର୍ଷରେ ନିଜ ହାତରେ ମାରିଦେଲା । ଆଉ ଏସବୁ ହେଇଛି କେବଳ କେଇଟା ଟଙ୍କା ପାଇଁ ।

ହଁ ଆଜ୍ଞା, ଶରଣକୂଳ ଥାନା ବଡଗୋରଡା ଗାଁରେ ଘଟିଯାଇଛି ଏଭଳି ଘଟଣା । ମୃତକ ହେଲେ ରଞିତା ପରିଡା । ଯୌତୁକ ପାଇଁ ରଞିତାଙ୍କୁ ହତ୍ଯା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୨୦୧୧ ମସିହାରେ ଆଙ୍କୁଲାଇପାଟଣା ଗାଁର ଗଦାଧର ପ୍ରଧାନଙ୍କ ଝିଅ ରଞିତା ବଡଗୋରଡା ଗାଁର ତ୍ରିନାଥ ବରାଡଙ୍କ ପୁଅ ତୋଫାନଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୧୩ବର୍ଷର ଝିଅ ଏବଂ ୯ ବର୍ଷର ପୁଅ ରହିଛନ୍ତି । ଯୌତୁକଙ୍କ ପାଇଁ ତୋଫାନ ବିଭିନ୍ନ ସମୟରେ ରଞିତାଙ୍କୁ ମାଡ ମାରୁଥିଲେ । ରଞିତା ମାଡଖାଇ ବାପଘରକୁ ଆସିଲା ପରେ ତୋଫାନଙ୍କ ପରିବାର ଲୋକେ ବୁଝାସୁଝା କରି ପୁଣି ଫେରାଇ ନେଉଥିଲେ। ତୋଫାନ ଗତକାଲି ସନ୍ଧ୍ଯାରେ ରଞିତାଙ୍କୁ ପ୍ରବଳ ମାଡମାରିବା ପରେ ରଞିତା କାନ୍ଦିକାନ୍ଦି ଭାଇଙ୍କୁ ଫୋନ କରି ଜଣାଇଥିଲେ । ଆଜି ସକାଳୁ ତୋଫାନ ତାଙ୍କ ବାପା , ମା ଏବଂ ମାମୁ ମିଶିକରି ରଞିତାଙ୍କୁ ମାଡମାରି ଜୀବନ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ରଞିତାଙ୍କ ଭାଇ ଏବଂ ବାପା ଖବର ପାଇ ବଡଗୋରଡା ଯାଇ ରଞିତାଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ରଞିତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ଯାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଛନ୍ତି । ଶରଣକୂଳ ପୋଲିସ ଅଭିଯୋଗ ପାଇବା ପରେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ଏନେଇ ତୋଫାନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।