ଅନୈତିକ ପ୍ରେମ ସଂପର୍କକୁ ନେଇ ସ୍ତ୍ରୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଗିରଫ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚଲାନପଡା ଗାଁରେ ଅନୈତିକ ପ୍ରେମ ସଂପର୍କକୁ ନେଇ ନିଜର ପତ୍ନିକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ । ଆଜି ଗିରଫ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଯୁଧିଷ୍ଟିର ବାରିକକୁ କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ, ଗତ ୨୦୦୯ ମସିହାରେ ଖଡିଆଳ ବ୍ଲକ ଚଲାନ ପଡା ଗାଁର ଯୁଧିଷ୍ଟିର ବାରିକ ନିକଟସ୍ଥ କାଶିପଲା ଗାଁର କେଶବ ଚଲାନଙ୍କ ଝିଅ ସସ୍ମିତାକୁ ବିବାହ କରିଥିଲା । ହେଲେ ବିବାହ ପରଠାରୁ ଯୁଧିଷ୍ଟିର ଓ ସସ୍ମିତାଙ୍କ ମଧ୍ୟରେ ବୈବାହିକ ସଂପର୍କ ଠିକନଥିଲା । ସ୍ୱାମୀ ଯୁଧିଷ୍ଟିର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ପ୍ରେମ ସଂପର୍କ ରଖିଥିଲେ । ଏହାକୁ ପତ୍ନି ସସ୍ମିତା ବାରମ୍ବାର ବିରୋଧ କରିଆସୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଆସୁଥିଲା ।

ଗତ ୫ତାରିଖରେ ଅଭିଯୁକ୍ତ ଯୁଧିଷ୍ଠିର ପତ୍ନି ସସ୍ମିତାକୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟେଇବା ପାଇଁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ଆଉ ହତ୍ୟା କରିବାପରେ ଆତ୍ମ ହତ୍ୟାର ରୂପ ଦେବାକୁ ଯାଇ ବେକରେ ଶାଢି ଲଗାଇ ମିଛ ନାଟକ ରଚି ନିକଟସ୍ଥ ମିଶନ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲା । ହେଲେ ସେଠାରେ ଡାକ୍ତର ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜାଣିବା ପରେ ମୃତ ସସ୍ମିତାଙ୍କ ବାପା ହତ୍ୟା ଅଭିଯୋଗ ଆଣି ଖଡିଆଳ ଥାନାରେ ଜ୍ୱାଇଁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏସଂକ୍ରାନ୍ତରେ ଖଡିଆଳ ଥାନା କେସନଂ-୫୦୫/୦୨୨ରେ ଆଇପିସି ୪୯୮-କ,୩୦୨ଦଫାରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ଆଜି ଖଡିଆଳ ପୋଲିସ ଜ୍ୱାଇଁ ଯୁଧିଷ୍ଟିର ବାରିକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଖଡିଆଳ ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.