ନୟାଗଡ (କେନ୍ୟୁଜ) : କାନ୍ଦି କାନ୍ଦି ମା ମୁଣ୍ଡ ବାଡେଇ ଦଉଛି । ମାଆର ସେ କାନ୍ଦ ଶୁଣିଲେ ବିଶ୍ୱାସ କରନ୍ତୁ ଆପଣଙ୍କ ଛାତି ଥରିଯିବ ଆଉ ଆପଣଙ୍କ ମନ ବି ଭାରି ବ୍ୟଥିତ ହେବ । ଝିଅକୁ ଏତେ ବଡ କଲେ, ଭଲ ଚାକିରି ବି କରାଇଲେ । ତାପରେ ଝିଅକୁ ବାହା ଦେଲେ, ହେଲେ ବୋଧହୁଏ ଝିଅ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା । ସେଥିପାଇଁ ଯାହା ହାତରେ ଝିଅକୁ ଦେଇଥିଲେ ସେହି ହାତ ଆଜି ଝିଅକୁ ଜୋର ଜବରଦସ୍ତ ମାରିଦେଇଛି ।
ହଁ ଆଜ୍ଞା ଜ୍ୱାଇଁର ଡିମାଣ୍ଡକୁ ପୂରା କରିପାରିଲାନି ଚାକିରିଆ ଝିଅ । ସେଥିପାଇଁ ଝିଅକୁ ସବୁଦିନ ପାଇଁ ଶୁଆଇ ଦେଇଛି ମୃତ୍ୟୁ ଶଯ୍ୟାରେ । ୮୦ ଲକ୍ଷ ଟଙ୍କାର କାର୍ କିଣିବାକୁ ମନ ବଳାଇଲେ ଜ୍ୱାଇଁ। ଏଥିପାଇଁ ଶ୍ୱଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ପକାଉଥିଲେ ଚାପ । ମାତ୍ର ଟଙ୍କା ନ ମିଳିବାରୁ ପାଲଟିଗଲେ ରାକ୍ଷାସ । ଆଉ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ପତ୍ନୀହନ୍ତା ସ୍ୱାମୀ।
ତେବେ ସବୁଠୁ ଦୁଃଖ ଲାଗୁଛି ନୃଶଂସ ବାପା ତା ମାଆକୁ ଯେତେବେଳେ ମାରୁଥିଲା ୪ ବର୍ଷର କୁନି ପୁଅ ସବୁକିଛି ଦେଖି ଦେଇଥିଲା । ଏବେ ମାଆ ଚାଲିଗଲା ପରେ ଏକଦମ୍ ହତବାକ୍ ହୋଇଯାିଛି ସେ । ଏତେ ଛୋଟ ପିଲାଟି ମାଆକୁ ହରାଇ ଯେମିତି ସ୍ଥାଣୁ ପାଲଟି ଯାଇଛି । ବିଶ୍ୱାସ କରନ୍ତୁ ସେ ଛୁଆଟିକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ତାର କୁନି କୁନି ଓଠରେ କହୁଥାଏ ବୋଉକୁ ବାପା ମାରିଛି, ପଛପଟୁ ଏମିତି ମାରିଛି ।
କେବଳ ତା ବାପା ନୁହେଁ ବାପା ସମେତ ପରିବାରର ଅନ୍ୟମାନେ ମା’କୁ ପିଟି ପିଟି ମାରି ଦେଇଥିବା କୁନି ପିଲାଟି ବଖାଣିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଘଟିଛି। ପୁଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ଶ୍ୱଶୁର ଘରର ଫେରାର ହୋଇ ଯାଇଛନ୍ତି। ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ । ସେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ । ପଦ୍ମିନୀ ୯ ବର୍ଷ ପୂର୍ବେ ଚମ୍ପତିପୁର ଗାଁର ତପନ ସ୍ୱାଇଁଙ୍କୁ ବିବାହ କରିଥିଲେ। ଯିଏକି ଇଟାମାଟି କଲେଜରେ କ୍ଲର୍କ ଥିଲେ। ଉଭୟଙ୍କ ବୈବାହିକ ଜୀବନ ବେଶ୍ ଭଲ ଭାବେ କଟୁଥିବା ବେଳେ ୪ ବର୍ଷର ଏକ ଗୁଲୁଗୁଲିଆ ପୁଅଟିଏ ବି ଥିଲା ।
କିନ୍ତୁ କିଛି ଦିନ ହେବ ବାପ ଘରୁ ୮୦ ଲକ୍ଷ ଟଙ୍କା ଆଣିବା ପାଇଁ ତପନ ଓ ତାଙ୍କ ପରିବାର ଲୋକେ ପଦ୍ମିନୀଙ୍କ ଉପରେ ଚାପ ପକାଉଥିଲେ। ଏପରିକି ଜମିବାଡ଼ି କିଣିବାକୁ ଟଙ୍କା ଦେବାକୁ ସେମାନେ ପଦ୍ମିନୀଙ୍କୁ ବାଧ୍ୟ କରୁଥିଲେ। ମାତ୍ର ପଦ୍ମିନୀ ମନା କରିବାରୁ ସେମାନେ ତାଙ୍କୁ ମାରଧର କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏହି କଥାକୁ ନେଇ ତପନଙ୍କ ପରିବାର ଲୋକେ ପଦ୍ମିନୀଙ୍କୁ ପ୍ରବଳ ପିଟିଥିଲେ। ମିଳିତ ଆକ୍ରମଣ ଯୋଗୁ ପଦ୍ମିନୀଙ୍କ ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲ। ଏଥିରେ ତପନ ତାଙ୍କ ଭାଇ ଓ ପରିବାରର ଅନ୍ୟ ସଦସ୍ୟ ବି ସାମିଲ ଥିବା ଜଣାଯାଇଛି।
ପଦ୍ମିନୀଙ୍କ ମୁଣ୍ଡ ପଛ ପଟୁ ଫାଟି ଯାଇଥିବା ପରିବାର ଲୋକେ ଦେଖିଥିଲେ। ତେଣୁ ଝିଅକୁ ପିଟି ପିଟି ଶାଶୁ ଘର ଲୋକେ ମାରି ଦେଇଥିବା ସେମାନେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍ ତପନଙ୍କୁ ଅଟକ ରଖି ଥାନାକୁ ନେଇଥିବା ବେଳେ ପରିବାରର ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ଅଧିକାରୀ କହିଛନ୍ତି ।