ଅନ୍ଧବିଶ୍ୱାସ ଉପରେ ଭରସା କରି କିଛି ଲୋକ ଅପରାଧ କରିବାକୁ ପଛାଉ ନାହାନ୍ତି । ଅନ୍ଧବିଶ୍ୱାସର ମାନସିକତା ନେଇ ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏବେ ଧରା ପଡି ଜେଲ ଯାଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ଗାଁର ଖଲିଆପଡ଼ା ସାହିରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁଲୁତାଯୋର ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ନିଜ ଜମିରେ ଘର କରି ରହୁଛନ୍ତି ରଞ୍ଜିତ ମାଝୀ ଓ ତାଙ୍କ ପରିବାର । ରଞ୍ଜିତଙ୍କ ଘରଠାରୁ ୨୦୦ ମିଟର ବ୍ୟବଧାନରେ ସେହି ଗାଁର ଚନ୍ଦ୍ରଶେଖର ମାଝିଙ୍କ ପରିବାର ମଧ୍ୟ ନିଜ ଚାଷ ଜମିରେ ଘର କରି ରହୁଛନ୍ତି । ପାଖରେ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ନିଜ ନିଜ ଜମି ଉପରେ ଘର କରି ରହିବା ସହିତ ପଡ଼ାର ନାମ ଖଲିଆପଡ଼ା ରଖିଛନ୍ତି।
ଏହାରି ଭିତରେ ଚନ୍ଦ୍ରଶେଖରର ମାଉସୀ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଚିକତ୍ସା ଚାଲିଥିଲା । ଅନେକ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ସେ ସୁସ୍ଥ ହୋଇନଥିଲେ । ଶେଷରେ ନିରାଶ ହୋଇ ଗୁଣିଆକୁ ବିଶ୍ଵାସ କରି ମାଉସୀକୁ ଚେରମୂଳୀ ଦେଇଥିଲେ ଚନ୍ଦ୍ରଶେଖର । ସବୁ ଚେଷ୍ଟା ପରେ ବି ଦେହ ଭଲ ନହେବାରୁ ମାଉସୀ ଉପରେ କେହି ଗୁଣିଗାରେଡି କରିଥିବା ଚନ୍ଦ୍ରଶେଖର ସନ୍ଦେହ କରିଥିଲେ। ଶେଷରେ ମାଉସୀଙ୍କ ଦେହାନ୍ତ ହେଲା । ମାଉସୀଙ୍କ ଜୀବନ ଯିବା ପରେ ସନ୍ଦେହ ବଢିଥିଲା । ଆଉ ପାଖ ପଡୋଶୀ ରଞ୍ଜିତଙ୍କ ମାଆ ଉପରେ ସନ୍ଦେହ କରିଥିଲା ଚନ୍ଦ୍ରଶେଖର । ରଞ୍ଜିତର ମାଆ ଶାନ୍ତି ଉପରେ ସନ୍ଦେହ କରି ଗାଁର ତିନି ଜଣ ଯୁବକଙ୍କ ଚନ୍ଦ୍ରଶେଖର ଏକଜୁଟ କରିଥିଲା । ରଞ୍ଜିତ ମାଆକୁ ସବୁଦିନ ପାଇଁ ସଫା କରିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ୩ ଜଣ ।
ସୂଚନା ଅନୁଯାୟୀ ସେପ୍ଟେମ୍ବର ଗୁରୁବାର ରାତିରେ ଖାଇ ପିଇ ରଞ୍ଜିତଙ୍କ ପରିବାର ଶୋଇଥିଲେ । ଏହି ସମୟରେ ମାରଣାସ୍ତ୍ର ଧରି ତିନିଜଣ ରଞ୍ଜିତଙ୍କ ଘରେ ପଶିଥିଲେ । ଘରେ ପଶି ରଞ୍ଜିତ ଓ ତାଙ୍କ ସ୍ତ୍ରୀ ଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଘର ଲୋକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ସୌଭାଗ୍ୟବଶତଃ ମାଆ ଶାନ୍ତି ଅଲଗା ଘରେ ଶୋଇଥିବାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି । ପାଟିତୁଣ୍ଡ ଶୁଣି ଗାଁର କିଛି ଲୋକ ରଂଜିତଙ୍କ ଘରେ ପହଞ୍ଚିଥିଲେ । ଗୁରୁତର ସ୍ବାମୀ ଓ ସ୍ତ୍ରୀଙ୍କୁ ପ୍ରଥମେ କଣ୍ଟାମାଳ ଡାକ୍ତର ଖାନା ଓ ପରେ ସୋନପୁର ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ ।
ଘଟଣା ବିଷୟରେ ପୋଲିସ ଖବର ପାଇବା ପରେ ଡାକ୍ତରଖାନାରେ ପହଞ୍ଚିଥିଲା । ଏନେଇ ରଞ୍ଜିତଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ସନ୍ଦେହରେ ଚନ୍ଦ୍ରଶେଖରକୁ ଆଣି ପଚରା ଉଚରା କରିଥିଲା । ପରେ ଚନ୍ଦ୍ରଶେଖର ସବୁ ସତକୁ ପୋଲିସ ଆଗରେ ବଖାଣି ଥିଲା । ଚନ୍ଦ୍ରଶେଖରର ବୟାନ ଅନୁସାରେ ତାର ସହଯୋଗୀ ଲକ୍ଷ୍ମଣ ମାଝୀ ଓ ରାଜେନ୍ଦ୍ର ଧରୁଆକୁ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି । ଗାଁ ଲୋକେ ଏଭଳି ଅନ୍ଧବିଶ୍ୱାସ ଉପରେ କେତେ ଦିନ ଯେ ଭରସା କରିବେ କହି ହେଉନି । କିନ୍ତୁ ଆପଣ ଯେମିତି ଏଭଳି ଅନ୍ଧ ବିଶ୍ୱାସକୁ ଭରଷା ନକରନ୍ତି । ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ । କିନ୍ତୁ ଏଭଳି ଗୁଣିଗାରେଡି ଉପରେ ଅଯଥା ବିଶ୍ୱାସ କରନ୍ତୁ ନାହିଁ ।