ସ୍ୱାମୀଙ୍କ ମୁତ୍ୟୁ ଦେଖି ସହିପାରିଲେନି ସ୍ତ୍ରୀ, ନିଜ ଜୀବନ ଶେଷ କରିଦେବା ପାଇଁ କଲେ ଉଦ୍ୟମ

ଯାଜପୁର : କାନ୍ଦୁଛି ମା’ କାନ୍ଦୁଛି ବାପା । କାହିଁକି ନା ସକାଳୁ ସକାଳୁ ମିଳିଥିଲା ଦୁଃଖଦ ଖବର । ଖବର ଆସି ପହଞ୍ଚିଥିଲା ଚାଲିଯାଇଛି ପୁଅ । ଗୋଦାମ ଗୃହରୁ ଉଦ୍ଧାର ହୋଇଥିଲା ପୁଅର ମୃତଦେହ । ବାସ୍ ଏତିକି କଥାରେ ପୁରା ପରିବାର ଉପରେ ଛିଡ଼ି ପଡ଼ିଥିଲା ଦୁଃଖର ପାହାଡ଼ । ରୋଜଗାରିଆ ପୁଅକୁ ହରାଇ କୋଉ ବାପା ମା’ବି ଧୈର୍ଯ୍ୟ ଧରି ରହିବ । ହେଲେ ଏତିକିରେ ଦୁଃଖ ସରି ନଥିଲା ସ୍ବାମୀର ମୃତ୍ୟୁ ଖବର ଶୁଣି ନିଜକୁ ସମ୍ଭାଳି ପାରି ନଥିଲେ ସ୍ତ୍ରୀ । ଶେଷରେ ନିଜ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବେଳେ ଏବେ ମେଡିକାଲରେ ବେଡରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ହଁ ଆଜ୍ଞା, ଚଣ୍ଡିଖୋଲ ଛକର ଏକ ଗୋଦାମ ଗୃହରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ହେଲେ କୁଆଖିଆ ଥାନା ମୁଗପାଳ ଅଞ୍ଚଳର ସୁଚିକାନ୍ତ ମଲ୍ଲିକ । ସୁଚିକାନ୍ତ ଗତ କିଛି ମାସ ତଳୁ ସେହି ଗୋଦାମରେ ହିଁ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଗୋଦାମ ଘରେ ଏପରି ଅବସ୍ଥାରେ ମୃତଦେହ ଦେଖି ଅନ୍ୟ କର୍ମଚାରୀ ମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିଲା।
ଅନ୍ୟପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ମଧ୍ୟ ନିଜେ ଜୀବନ ହାରିବା ପାଇଁ ଉଦ୍ୟମ କରିବାକୁ ପଛାଇ ନଥିଲେ । ଏନେଇ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି । ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ଏବେ ସଙ୍ଗୀନ ହୋଇପଡିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ପ୍ରଥମେ ଯାଜପୁର ହେଡ୍ କ୍ୱାଟର ହସପିଟାଲ ଓ ପରେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l
ତେବେ ଏହି ଦମ୍ପତ୍ତିଙ୍କର ମାତ୍ର ଦୁଇ ବର୍ଷ ତଳେ ବୈଦିକ ମତରେ ପରସ୍ପରକୁ ବିବାହ କରିଥିଲେ । ଦୁହେଁ ସାତଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୁଖରେ ଦୁଃଖରେ ପରସ୍ପରର ସାଥୀ ହୋଇ ରହିବେ ବୋଲି ପୁରୋହିତଙ୍କ ଆଗରେ ହୋମକୁ ସାକ୍ଷୀ ରଖି ଶପଥ ନେଇଥିଲେ l କିନ୍ତୁ ଆଜି ପତ୍ନୀ ଯେତେବେଳେ ସ୍ୱାମୀର ମୃତ୍ୟୁ ଖବର ପାଇଥିଲେ ସେତେବେଳେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ ପତ୍ନୀ ଝରଣା। ଏବଂ ନିଜେ ଜୀବନ ହାରିବା ପାଇଁ ଉଦ୍ୟମ କଲେ । ମାତ୍ର ସୁଚିକାନ୍ତଙ୍କ ବାପା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ପରିବାରରେ ସୁଚିକାନ୍ତ ହିଁ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତେବେ ତାଙ୍କର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗିପଡ଼ିଛି ସାରା ପରିବାର। ଏନେଇ ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।