ବିଛଣାରେ ବିତୁଛି ସ୍ୱାମୀର ଜୀବନ, ସ୍ୱାମୀର ଆରୋଗ୍ୟ ପାଇଁ ଅସହାୟ ସ୍ତ୍ରୀର ଆକୁଳ ନିବେଦନ

କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସ୍ୱାମୀ । ଦିନରାତି ବିଛଣାରେ କଟୁଛି ଜୀବନ । ନିଶ୍ୱାସ ଚାଲୁଛି କିନ୍ତୁ ନିର୍ଜୀବ ପରି ପଡିରହିଛନ୍ତି । ଘରେ ପେଟ ପାଇଁ ଦାନା ନାହିଁ ପିନ୍ଧିବାକୁ ଲୁଗା ନାହିଁ । ଛୋଟ ପୁଅଟିଏ କିନ୍ତୁ ଅର୍ଥାଭାବରୁ ପଢ଼ାରେ ଡୋରି ଲାଗିଗଲାଣି । ଯିଏ ଦିନେ ରୋଜଗାର କରି ୫ ଜଣକ ମୁହଁରେ ଦାନା ଯୋଗାଉଥିଲା ସେ ଆଜି ସମସ୍ତଙ୍କ ପାଇଁ ବୋଝ ପାଲଟି ଯାଇଛି । ସ୍ୱାମୀର ଏଭଳି ପରିସ୍ଥିତିରେ ଭାଙ୍ଗି ଯାଇଛନ୍ତି ସ୍ତ୍ରୀ । ଏପଟେ ମା’ କାନ୍ଦି କାନ୍ଦି କହୁଛି ମୋ ପୁଅକୁ କିଏ ଭଲ କରିଦିଅ ।
ବେଶ ହସ ଖୁସିରେ ଚାଲିଥିଲା ସୁନାର ସଂସାର । ହେଲେ ଏ ପରିବାରକୁ କାହାର ନଜର ଲାଗିଲା କେଜାଣି ଗୋଟିଏ ଦୁର୍ଘଟଣାରେ ସବୁକିଛି ହରାଇ ବସିଲେ । ଯାହାପରେ ତାଙ୍କ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି । ଆମେ କହୁଛୁ ନାରାୟଣ ନାୟକଙ୍କ ବିଷୟରେ… ଘର ନିମାପଡ଼ା ବ୍ଲକ ବାମନାଳ ଗ୍ରାମପଞ୍ଚାୟତର ବରିମୁଣ୍ଡ ଗାଁର ପୂର୍ବ ସାହିରେ । ସେ ଅନେକ ଦିନ ହେବ ଜୟପୁରରେ ରହି ବ୍ୟବସାୟ କରି ନିଜର ୫ ପ୍ରାଣୀ କୁଟୁମ୍ବ ପୋଷୁଥିଲେ । ହେଲେ ଗତ ଜାନୁୟାରୀ ମାସ ୧ ତାରିଖ ରାତିରେ ନିଜର ବ୍ୟବସାୟ ସାରି ଘରକୁ ଫେରୁଥିଲେ ନାରାୟଣ ।
ସାଙ୍ଗରେ ଥିଲା କିଛି ଘର ସଉଦା ଓ ପିଲାଙ୍କ ପାଇଁ ଖାଦ୍ୟ । କିଏ ଜାଣିଥିଲା ଏକ ଅଜଣା ଗାଡି ଧକ୍କାରେ ଏପରି ଅବସ୍ଥା ହୋଇଯିବ ନାରାୟଣଙ୍କର । ଯେଉଁ ମା’ ଦିନେ ଏତେ କଷ୍ଟ କରି ଛୋଟରୁ ବଡ଼ କରିଥିଲା ସେ ନିଜର ପରିଣତ ବୟସରେ ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ଧୈର୍ଯ୍ୟ ଧରିପାରୁନି । ହାତ ଯୋଡ଼ି ନେହୁରା ହୋଇ କାନ୍ଦି କାନ୍ଦି କହି ଚାଲିଛି ମାଆ ମୋ ପୁଅକୁ ଭଲ କରି ଦିଅ । ଆମେ ବହୁତ ଅସୁବିଧାରେ ଚଳୁଛୁ । ଆମ ପାଖରେ ଆଉ ଟଙ୍କା ନାହିଁ ଆମକୁ କେହି ସାହାଯ୍ୟ କର ।
ଯେଉଁ ସ୍ତ୍ରୀ ପିଲା ସବୁବେଳେ ଅନେଇ ବସୁଥିଲେ ନାରାୟଣଙ୍କ ଫେରିବା ବାଟକୁ ସେହି ନାରାୟଣ ଆଜି ବୋଝ ପାଲଟି ଯାଇଛନ୍ତି ସେମାନଙ୍କ ପାଇଁ ବୋଝ । ସ୍ୱାମୀର ଚିକିତ୍ସା ପାଇଁ ନିଜ ସୁନା ରୁପା ସବୁକିଛି ବିକିବା ପରେ ଶେଷରେ ନିଜର ପୈତୃକ ଜମିକୁ ମଧ୍ୟ ବିକି ସାରିଲେଣି । ହେଲେ ସ୍ୱାମୀ ଭଲ ହେଉନାହାନ୍ତି । ଏବେ ସ୍ୱାମୀଙ୍କ ଚିକିତ୍ସା ପାଇଁ କୋଉଠୁ ଆସିବ ଏତେ ଟଙ୍କା କେମିତି ଭଲ ହେବେ ସ୍ୱାମୀ ଏ ସବୁ ଭାବି ଭାବି ଧର୍ଯ୍ୟହରା ହୋଇଗଲଣି ପତ୍ନୀ ।
ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚେଇବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ସମସ୍ତଙ୍କୁ ନେହୁରା ହୋଇ ସାହାଯ୍ୟ ଲୋଡିଛନ୍ତି ସବିତା ନାୟକ । ଏ ନେଇ ନିମାପଡ଼ା ବିଡ଼ିଓ ଅଭିଜତି ଷଡ଼ଙ୍ଗୀଙ୍କ ସହିତ ଆଲୋଚନା କରିବା ପରେ ସେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ କହିଛନ୍ତି ଯାହା ସହଯୋଗ ହେବା କଥା ଆମେ କରିବୁ । ସେପଟେ ବାମନାଳ ପଞ୍ଚାୟତ ସରପଞ୍ଚ ପ୍ରତିକ୍ରିୟାରେ କହିଛନ୍ତି ବିଡ଼ିଓଙ୍କ ସହିତ ଆଲୋଚନା କରି ନାରାୟଣଙ୍କୁ ନିଶ୍ଚିନ୍ତ ସହଯୋଗ କରିବୁ ।
ତେବେ କେଉଁଦିନ ନାରାୟଣ ସରକାରୀ ସାହାଯ୍ୟ ପାଇବେ ଏବଂ ତାଙ୍କ ପରିବାରରେ ଖେଳିବ ହସର ଲହରୀ ତାହା କେବଳ ଦେଖିବାକୁ ବାକି ରହିଲା । ଯଦି କେଉଁ ସହୃଦୟ ବ୍ୟକ୍ତି ନାରାୟଣଙ୍କୁ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ 8144805894 ମୋବାଇଲ ନମ୍ବରରେ ଯୋଗାଯୋଗ କରି 8018174603 ରହି ନମ୍ବର ଫୋନ ପେ’ରେ ଆର୍ଥିକ ସହଯୋଗ କରିପାରିବେ ।
Also read: ମଧୂସୁଦନଙ୍କ ମୃତ୍ୟୁ କେମିତି ହେଲା ? ତଦନ୍ତ କରୁଛି ପୋଲିସ୍