ସଡକ ଦୁର୍ଘଟଣା : ବାଇକକୁ ଧକ୍କା ଦେଲା ହାଇଓ୍ବା, ୨ ମୃତ

କେନ୍ଦୁଝର (କେନ୍ୟୁଜ): ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ଆଜି ଏକ ହାଇଓ୍ବା ଟ୍ରକ ଧକ୍କା ଦେବାରୁ ଦୁଇ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଯୋଡ଼ା ଥାନା ଅନ୍ତର୍ଗତ କମାର ଯୋଡ଼ା ଗ୍ରାମର ବିଜୁ କାରୁଆ ତାଙ୍କ ମାମୁଁ ବାବୁ କାରୁଆଙ୍କ ସହିତ OD09A 0129 ବାଇକ ଚଳାଇ ରିମୁଳି ପଟୁ ଘରକୁ ଫେରିବା ସମୟରେ ତଡୁଆବାହାଳ ନିକଟରେ ପଛପଟୁ ଆସୁଥିବା ଏକ ହାଇଓ୍ବା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ହାଇଓ୍ବା ଗାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।