ଆଗକୁ ସାଧାରଣ ନିର୍ବାଚନ, ରାଜ୍ୟ ପ୍ରଶାସନରେ ବଡ଼ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ

କିଏ ହେବେ ରାଜ୍ୟ ଗୃହ ବିଭାଗର ନୂଆ ସଚିବ ? ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। ଏବେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କୁ ଗୃହ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୃହ ବିଭାଗର ପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି। ଏଥିପାଇଁ ରେସରେ ରହିଛି ଚାରି ବରିଷ୍ଠ ଅଧିକାରୀଙ୍କ ନାଁ । ସେମାନେ ହେଲେ ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର। ସେ ଏବେ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଅଛନ୍ତି ।

ସେହିପରି ୧୯୮୮ ବ୍ୟାଚର ଆଇଏଏସ ଅଫିସର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେ ମଧ୍ୟ ଶ୍ରୀମିନ୍ଦରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଛି । ସେହିପରି ୧୯୯୨ ବ୍ୟାଚର ଆଇଏଏସ ଅଫିସର ତଥା ରାଜସ୍ୱ ସଚିବ ଡ. ସି.ଏସ. କୁମାରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ୧୯୯୨ ବ୍ୟାଚର ଆଇଏଏସ ଅଫିସର ଡି.କେ.ସିଂଙ୍କୁ ମଧ୍ୟ ମିଳିପାରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଡି.କେ ସିଂ ଏବେ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହିଛନ୍ତି।

ଅନ୍ୟପଟେ ଆଉ କିଛି ବରିଷ୍ଠ ଆଇଏଏସ ଅଧିକାରୀ ଏବେ ଏକାଧିକ ବିଭାଗର ଦାୟିତ୍ୱରେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ବରିଷ୍ଠ ଅଧିକାରୀଙ୍କର ବିଭାଗ ଅଦଳବଦଳ କରିପାରନ୍ତି । ବରିଷ୍ଠ ଆଇଏଏସ ଅଧିକାରୀ ସଂଜୀବ ଚୋପ୍ରା ଏବେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବେଳେ ଅତିରିକ୍ତି ଭାବେ ଓଏମସି ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଆଇଏଏସ ଅଧିକାରୀ ଜି.ମାଥି ଭାଥନନଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ସହ ଇପିକଲ୍‌ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବରିଷ୍ଠ ଆଇଏଏସ ଅଧିକାରୀ ରଂଜନା ଚୋପ୍ରା ଏବେ ସମବାୟ ବିଭାଗ ସଚିବ ଥିବା ବେଳେ ତାଙ୍କୁ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ଦାୟିତ୍ୱ ମିଳିଛି। ଆଇଏଏସ ଅଫିସର ସଂଜୟ ସିଂଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସହ ଅତିରିକ୍ତ ଭାବେ ଇଡକୋ ସିଏମଡିର ଦାୟିତ୍ୱ ତୁଲାଉଛନ୍ତି । ସେହିପରି ବିଶାଲ ଦେବ କ୍ରୀଡ଼ା ଓ ଯୁବ ସେବାର ପ୍ରମୁଖ ଶାସନ ସଚିବ ଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ସଂସ୍କୃତି ଓ ପର‌୍ୟ୍ୟଟନ ବିଭାଗ ଏବଂ ଓଏଚପିସିର ସିଏମଡି ଭାବେ ଦାୟିତ୍ୱ ମିଳିଛି। ତେଣୁ ଖୁବଶୀଘ୍ର ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା।

You might also like