ଭୁବନେଶ୍ୱର : ଇଡକୋ ବାବୁଙ୍କ ବିପୁଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଇଡ଼କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଅମାପ ସମ୍ପତ୍ତି। ବିଜୟଙ୍କ ବିପୁଳ ସମ୍ପତ୍ତି ଏବଂ ଆଲିସାନ ବଙ୍ଗଳା ଦେଖି ତାଜୁବ ଭିଜିଲାନସ ଅଧିକାରୀ । ଗେଟଠୁ ଆରମ୍ଭ କରି ଘର ଯାଏ ପୂରା ଡିଜିଟାଲ । ଭୁବନେଶ୍ୱରରେ ରହିଛି ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ପୁରୀ ବାଲୁଖଣ୍ଡ ମୌଜାରେ ରହିଛି ଫ୍ଲାଟ। ଭୁବନେଶ୍ୱରର ପ୍ରାଇମ ଲୋକେସନରେ ରହିଛି ଦୁଇଟି ପ୍ଲଟ। ଖୋର୍ଦ୍ଧାରେ ରହିଛି ଗୋଟିଏ ପ୍ଲଟ। ୫୫ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଜମା ରହିଛି। ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ସହ ୨୯ ଲକ୍ଷ ଟଙ୍କାର ସୁନା ଓ ଘରକରଣା ସାମଗ୍ରୀ ଜବତ ହୋଇଛି। ଗୋଟେ ଫୋର୍ଡ ଇକୋ ସ୍ପୋର୍ଟସ କାର ସହିତ ତିନୋଟି ବାଇକ ମଧ୍ୟ ରେଡ୍ ବେଳେ ଜବତ ହୋଇଛି।
ଆପଣ ଯୁଆଡ଼େ ଚାହିଁବେ, ଦେଖିପାରିବେ ଇମ୍ପୋର୍ଟେଡ୍ ସାମଗ୍ରୀ। କୋଠାରେ ଲାଗିଛି ୧୨ଟି AC ସହ ୩୨ଟି ଫ୍ୟାନ। ଗାଧୁଆଘରେରେ ଜାପାନ ଟେକ୍ନୋଲୋଜିର ଟାଇଲ୍ ଏବଂ ପ୍ୟାନ ଖଞ୍ଜାଯାଇଛି। ପ୍ରାୟ ୭ ହଜାର ୫ଶହ ସ୍କ୍ବାୟାର୍ ଫୁଟ୍ ପରିମିତି ଜାଗାରେ ଛିଡା ହୋଇଥିବା କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ ଟଙ୍କା ଆକଳନ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ହାବୁଡ଼ରେ ପଡ଼ିଥିବା ବାବୁଙ୍କ ଧନ ସଂପତ୍ତିର ଆକଳନ ଏତିକିରେ ସରିନି। ଏକକାଳୀନ ୬ଟି ସ୍ଥାନରେ ଚଢାଉ କରି ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୩ଟି ଘର ଠାବ କରିଛି ଭିଜିଲାନ୍ସ। ତେବେ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂ ଏତେ ସଂପତ୍ତି କେମିତି ଠୁଳ କଲେ ? କାହା ଛତ୍ରଛାୟାରେ ରହି ଏହି ସରକାରୀ ବାବୁ ବନିଯାଇଥିଲେ ଏଭଳି କୁବେର ? ଏତିକି ନା ଆହୁରି ବି ସଂପତ୍ତି ଲୁଚାଇ ରଖିଛନ୍ତି ?