କେମିତି ନିଜେ ହଇରାଣ ହୋଇଥିଲେ : ପୋଲିସକୁ ନେଇ ନିଜର ଅଭିଜ୍ଞତା ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ FIR ନନେଲେ IIC ହେବେ ସସପେଣ୍ଡ

ଭୁବନେଶ୍ୱର : ଥାନାକୁ ଆସୁଥିବା ଅଭିଯୋଗ କାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । FIR ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା କର । ନଚେତ ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ରାଜ୍ୟର 14ଟି ଥାନାର ନୂତନ କୋଠା ଶୁଭାରମ୍ଭ ବେଳେ ବିଧାୟକ ସମୟରେ କେମିତି ନିଜେ ହଇରାଣ ହେଉଥିଲେ ତାହା ବଖାଣି ଥିଲେ ମୁଖ୍ୟମନ୍ତ୍ରୀ । ଓଡିଶା ପୋଲିସକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସ ବ୍ୟବହାରରେ ପରିବର୍ତ୍ତନ କର । ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଦେଇ ନ୍ୟାୟ ଦିଅ ।
ଯେଉଁ ଥାନା ଅଧିକାରୀ ଲୋକଙ୍କ କଥା ଶୁଣୁ ନାହାନ୍ତି କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଧାୟକ ଥିବାବେଳେ ପୋଲିସ ତାଙ୍କ ପ୍ରତି କେମିତି ବ୍ୟବହାର କରିଥିଲା ସେକଥା ବଖାଣି ଥିଲେ. ମୁଖ୍ୟମନ୍ତ୍ରୀ । କହିଥିଲେ, ମୁଁ ବିଧାୟକ ଥିବା ବେଳେ 2019 ରେ ମୋତେ କେନ୍ଦୁଝର IIC ମୋତେ ଦୁର୍ବ୍ୟବହାର କରିଥିଲେ । ଗେଟ ଆଉଟ କହିଥିଲେ ମୋତେ ।
ତେଣୁ ପୋଲିସ ତାର ବ୍ୟବହାରରେ ପରିବର୍ତ୍ତନ କରୁ । ସାଧାରଣ ଲୋକଙ୍କୁ ସେବା ଦେବା ପୋଲିସର କାର୍ଯ୍ୟ । କାହାର ଚାପରେ ପଡି ପୋଲିସ ଖରାପ ବ୍ୟବହାର କରିବା ଅନୁଚିତ । ଥାନାକୁ ଆସିଲେ ପାଣି ଚା ଦେଇ ସମ୍ମାନ ଦେଇ ଅଭିଯୋଗ ଶୁଣିବା ଦାରକାର । ମୁଁ ଏପରି ଘଟଣାର ଭୁକ୍ତଭୋଗୀ ହୋଇଛି । ତେଣୁ ଆଗକୁ ସେମିତି ହବନି। ଆଗକୁ ପୋଲିସ ବାହିନୀ ଶକ୍ତିଶାଳୀ ହେବ । ଯେଉଁ ଥାନାରେ FIR ନବନି ସେଠି IIC ସସପେଣ୍ଡ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।