ବଦଳିଲା ନିୟମ: ଏଣିକି ଦଶମରେ ଗଣିତ ନ ଥିଲେ ଯୁକ୍ତ୨ରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ି ହେବ
ଭୁବନେଶ୍ବର(କେନ୍ଯୁଜ୍) : ଦଶମ ଶ୍ରେଣୀରେ ଗଣିତ ନ ଥିଲେ ଯୁକ୍ତ୨ରେ କିନ୍ତୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ। ଏଣିକି କୌଣସି ପ୍ରକାର ଅସୁବିଧା ହେବନାହିଁ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକାରେ ସୁଯୋଗ ମିଳିବ।
ତେବେ ଯେଉଁ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଗଣିତରେ ଫେଲ୍ ହୋଇଥିବେ ସେମାନେ ଏଭଳି ସୁଯୋଗରୁ ବଞ୍ଚିତ ହେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ବିଶେଷଜ୍ଞ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସଂଶୋଧନ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରାଯିବ।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଅଜବ ନିୟମ ଦ୍ବାରା ସିଆଇଏସ୍ସିଇ, ସିବିଏସ୍ଇ ବୋର୍ଡ ଅଧୀନରେ ଦଶମ ପାସ୍ କରିଥିବା ବହୁ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମଲେଖାରୁ ବଞ୍ଚିତ ହୋଇଥିବା ନେଇ ଖବର ପ୍ରକାଶ ପରେ ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦେଶକ୍ରମେ ତୁରନ୍ତ ବୈଠକ ଡକାଯାଇ ବିଶଦ ଆଲୋଚନା କରାଯାଇଥିଲା। ଜଣେ ବି କେହି ଛାତ୍ରଛାତ୍ରୀ ଯେମିତି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି।