ସାବଧାନ ମୋବାଇଲ ୟୁଜର୍ସ ! ହ୍ବାଟ୍ସଆପରେ ଅଜଣା ଲିଙ୍କ୍ ଆସିଲେ କ୍ଲିକ୍ କରନ୍ତୁନି  

ବିଦ୍ୟୁତ୍ ବିଲ, ଆଧାର ସଂଶୋଧନ କିମ୍ବା ଆରଟିଓ ଚାଲାଣ ପାଇଁ ହ୍ବାଟ୍ସଆପ୍ ମାଧ୍ୟମରେ ମେସେଜ ଆସୁଛି କି । ଯଦି ଏମିତି କିଛି ମେସେଜ୍ ଆସୁଛି ସାବଧାନ ହୋଇଯାଆନ୍ତୁ । ଏହି ମେସେଜକୁ ଯାଇ ଲିଙ୍କ ଖୋଲିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ନିଅନ୍ତୁ । କାରଣ ଆପଣ ହୋଇପାରନ୍ତି ସାଇବର ଫ୍ରଡର ଶିକାର । ଏଭଳି ଏକ ସାଇବର ଠକେଇର ଖୋଲାସା କରିଛି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ । ପୁରୀ ସର୍ବୋଦୟ ନଗରର ମୃତ୍ୟୁଞ୍ଜୟ ତ୍ରିପାଠୀ ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି । ତାଙ୍କ ମୋବାଇଲକୁ ହ୍ବାଟ୍ସଆପ୍ ଯୋଗେ ଏକ ମେସେଜ ଆସିଥିଲା । ମେସେଜ ଯୋଗେ ଆସିଥିବା ଆପ୍ ଖୋଲିବାରୁ ତାଙ୍କ ଫୋନ୍ ଓ ବ୍ୟାଙ୍କର ସମସ୍ତ ବିବରଣୀ ସାଇବର ଠକ ପାଖକୁ ପଳାଇଥିଲା ।

ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ  ୧,୬୨,୦୦୦ ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପ ଲାଇନ ୧୯୩୦ ରେ ଅଭିଯୋଗ କରିବା ସହ ସାଇବର ଥାନାରେ ଅଭିଯୋଗ କରିଥିଲେ ମୃତ୍ୟୁଞ୍ଜୟ ।

ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସମୟରେ ବଲାଙ୍ଗୀର କଣ୍ଟାବାଞ୍ଜିର କାର୍ତ୍ତିକ ହାତୀ ତାର ଜଣେ ସହଯୋଗୀ ସହ ଏହି ସାଇବର ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରାଯିବା ସହ ତା ଠାରୁ ଏକ ମୋବାଇଲ ଫୋନ୍ ଜବତ ହୋଇଛି । ତା ନାଁରେ ପଶ୍ଚିମବଙ୍ଗ ଆସାନସୋଲ ସମେତ ବିଭିନ୍ନ ଥାନାରେ ଏକାଧିକ ସାଇବର ଠକେଇ ମାମଲା ରହିଛି । କାର୍ତ୍ତିକର ସହଯୋଗୀଙ୍କୁ ମଧ୍ୟ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଏସପି କହିଛନ୍ତି ।

ସାଇବର କ୍ରାଇମ୍‌ ଘଟଣା ଲଗାତର ଭାବେ ବଢ଼ି ବଢ଼ି ଚାଲିଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ମାତ୍ରରେ ଆର୍ଥିକ କ୍ଷତି ବି ସହିବାକୁ ପଡୁଛି । ଅନେକ ଥର ଲୋକମାନେ ହଠାତ୍‌ କିଛି ବୁଝି ପାରନ୍ତିନି ଏବଂ ଏଭଳି ପରିସ୍ଥିତିରେ କଣ କରିବେ ଜାଣି ପାରନ୍ତି ନାହିଁ । ପରେ ନିଜ କର୍ମକୁ ଦୋଷ ଦିଅନ୍ତି । ତେଣୁ ଏଭଳି କୌଣସି ଅଜଣା ନମ୍ବରରୁ ମେସେଜ୍ କିମ୍ବା ଲିଙ୍କ୍ ଆସିଲେ ଏଥିରେ କ୍ଲିକ୍ କରନ୍ତୁ ନାହିଁ କି ଅଜଣା ଲୋକଙ୍କୁ ଆପଣ ଓଟିପି ସେୟାର କରନ୍ତୁ ନାହିଁ ।

Also Read: ୭୭ ତମ ସାଧାରଣତନ୍ତ୍ର ଦିବସ, ୨୦ ପୋଲିସ କର୍ମଚାରୀଙ୍କୁ ମିଳିଲା ରାଜ୍ୟପାଳ ପଦକ