ମୋହନା ବ୍ଲକ ଶିକ୍ଷାଧିକାରୀଙ୍କ ଅଜବ ନୋଟିସ୍, ହେଲମେଟ୍ ନ ପିନ୍ଧିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଟିବ ଦରମା
ମୋହନା : ମୋହନା ବ୍ଲକ ଶିକ୍ଷାଧିକାରୀଙ୍କ ଅଜବ ନୋଟିସ୍ । ଏଣିକି ହେଲମେଟ୍ ନ ପିନ୍ଧିଲେ କଟିପାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା । ନୋଟିସ୍ ରେ ତାଗିଦ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା । ଏନେଇ ଗତ ୨୭ ତାରିଖରେ ଜାରି ହୋଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ, ମୋହନା ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ନିଜର ସୁରକ୍ଷା ପାଇଁ ବାଇକ୍ ଚାଳନା ସମୟରେ ହେଲମେଟ୍ ପିନ୍ଧିବେ। ଯଦି ଏହାର କିଏ ଉଲଂଘନ କରିଥିବା ଦୃଷ୍ଟିକୁ ଆସେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଗୋଟିଏ ମାସର ଦରମା ବନ୍ଦ କରାଯିବ । ଏ ଦିଗରେ ବିଇଓ ଏବଂ ଏବିଇଓ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଛି।
ଦିନକୁ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି । ଏଭଳି ପରିସ୍ଥିତିରେ ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାଇକରେ ନିଜ ନିଜ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି । ତେଣୁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ ଏଭଳି ନିର୍ଦ୍ଦେଶ ଦେଇଥିବା ମୋହନା ବିଇଓ କହିଛନ୍ତି । ଏହି ଅଜବ ନୋଟିସକୁ ନେଇ ବର୍ତ୍ତମାନ ଗଜପତି ଜିଲ୍ଲାରେ ଚର୍ଚ୍ଚା ଲାଗିରହିଥିବା ବେଳେ ଏ ସଂପର୍କରେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।