ସୁନ୍ଦରଗଡ: ତୀର ମାଡ଼ରେ ଆଇଆଇସି ଆହତ । ଉତ୍ପାତିଆ ଯୁବକଙ୍କୁ କାବୁ କରିବାକୁ ଯାଇ ତୀରମାଡ଼ର ଶୀକାର ହେଲେ ଆଇଆଇସି । ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ଗାଁରେ ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ ବଡ଼ଜଲ ଠାରେ ୨ଦିନ ଧରି ଫୁଲଝର ଗାଁର ଧନି ମୁଣ୍ଡା ନାମକ ବ୍ୟକ୍ତି ଉତ୍ପାତ କରୁଥିଲା । ରବିବାର ଦିନ ଠାରୁ ସ୍କୁଲକୁ ଧନୁତୀର, ବାଟୁଳି , ପଥର ଧରି ଆସୁଥିଲା । ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ସହ ବଚସା ପରେ ବାଟୁଳି ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲା । ସ୍କୁଲ ରୋଷେଇ ଘରର କବାଟ ଭାଙ୍ଗି ଛାତ ଉପରକୁ ଚଢିଥିଲା ଓ ସ୍କୁଲକୁ ନିଜ ଘର କହି ଦୁଇ ଦିନ ହେଲା ସେଠାରେ ରହୁଥିଲା । ହେଲେ ଗତକାଲି ତାକୁ ତଳକୁ ଓହ୍ଲାଇବାକୁ ଲୋକମାନେ କହିବାରୁ ଧନୁତୀର ଧରି ଆକ୍ରମଣ କରିଥିଲା । ଲୋକେ ଭୟଭୀତ ହୋଇ ଥାନାରେ ଜଣାଇବା ପରେ ଆଇଆଇସିଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସିଡ଼ିରେ ଛାତକୁ ଯାଉଥିବା ବେଳେ ତାଙ୍କ ଉପରେ ତୀର ମାଡ କରିଥିଲା । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଣାଇ ଏସଡିପିଓ, ଅଗ୍ନିଶମ ବିଭାଗ କର୍ମଚାରୀ ସଂପୃକ୍ତ ଯୁବକକୁ କାବୁ କରିବାକୁ ପହଞ୍ଚିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି ।