ପାରାଦୀପ ସମୁଦ୍ରରୁ ଶୂନ୍ଯ ହେବାରେ ଲାଗିଛି ମାଛର ରାଜା ‘ଇଲିସି’, ୬୦ ହଜାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାର ପ୍ରଭାବିତ

ପାରାଦୀପ( କେନ୍ଯୁଜ୍): ସରିଲା ସେପ୍ଟେମ୍ବର ମାସ , ହେଲେ ମିଳିଲା ନାହିଁ ପାରାଦୀପର ସୁଆଦିଆ ମାଛ ଇଲିସି। କଥାରେ ଅଛି ମାଛ ଖାଇବ ଇଲିସି ଚାକିରି କରିବ ପୋଲିସି । ମାଛ ଭିତରେ ରାଜା ବୋଲାଉଥିବା ଇଲିସି ଏବେ ସମୁଦ୍ରରେ ଶୂନ୍ଯ ହେବାରେ ଲାଗିଛି। ଲଗାତର ଗତ ୩ ବର୍ଷ ହେଲା ଏଭଳି ସ୍ଥିତି ଲାଗି ରହିଥିବା ବେଳେ ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ। ଜଳବାୟୁରେ ପରିବର୍ତନ ଓ ଶିଳ୍ପ କାରଖାନାର ଆବର୍ଜନା ପାରାଦୀପ କୂଳରୁ ଇଲିସିଙ୍କୁ ଦୂରେଇ ଦେଇଥିବା ବେଳେ ପ୍ରଭାବିତ ହେଉଛନ୍ତି ୬୦ ହଜାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାର।

କୁହାଯାଉଛି ଆଉ ପାରାଦୀପ ମୁହାଁଉ ନାହାଁନ୍ତି ଇଲିସି। ଗତ ତିନି ବର୍ଷ ହେଲା ପାରାଦୀପ ବାଟ ଭୁଲି ଯାଇଛନ୍ତି ଏହି ସୁଆଦିଆ ମାଛ। ଜଳବାୟୁ ରେ ପରିବର୍ତନ ଓ ଶିଳ୍ପ କାରଖାନା ର ଆବର୍ଜନା ଯୋଗୁଁ ଅନ୍ଯ ମାଛ ବି ପାରାଦୀପ ର ପାଖ ମାଡୁ ନାହାନ୍ତି। ମୁଖ୍ଯତଃ ଅଗଷ୍ଟ ମାସ ମଧ୍ଯ ଭାଗରୁ ବର୍ଷା ଆରମ୍ଭ ହୋଇଥାଏ ଏବଂ ଉପରମୁଣ୍ଡରୁ ଗୋଳିଆ ବଢିପାଣି ମହାନଦୀ ମୁହାଣ ରେ ସମୁଦ୍ର ଭିତରକୁ ପଶିଯାଏ। ଏହି ଗୋଳିଆ ମଧୁରୀ ପାଣି ସମୁଦ୍ରକୁ ପଶିବା ସମୟରେ ଯଦି କୋହଲା ପାଗ ଏବଂ ଝିପିଝିପି ବର୍ଷା ସହିତ ଉତରା ପବନ ବୋହିବା ଆରମ୍ଭ ହୁଏ ତେବେ ଇଲିସି ସେହି ଗୋଳିଆ ମଧୁରୀପାଣିରେ ଅଣ୍ଡା ଦେବାକୁ କୂଳକୁ ଆସିଥାନ୍ତି। ଫଳରେ ପାରାଦୀପ ରେ ପ୍ରଚୁର ଇଲିସି ମାଛ ମିଳିଥାଏ। ଏହି ଅଗଷ୍ଟ ମାସ ମଧ୍ଯ ଭାଗରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ଯାୟରେ‘ ପାରାଦୀପ ର ବାଲିପ୍ଲଟ ମାଛଧରା ବେସ୍‌ ରେ ଇଲିସି ପାଇଁ ଲାଗିଥାଏ ଭିଡ। ଗରୀବ ଖଟିଖିଆ ଙ୍କ ଠାରୁ ଆରମ୍ଭ କରି ବଡ ବଡିଆ, ସମସ୍ତଙ୍କ ଘରେ ରାଜୁତି କରୁଥାଏ ଏହି ଇଲିସି ମାଛ ର ତରକାରୀ।

ମାତ୍ର ମହାନଦୀ ର ଉପରମୁଣ୍ଡରେ ଡ୍ଯାମ ତିଆରି କରି ପାଣି ଅଟକାଯାଉଥିବା ବେଳେ ଶିଳ୍ପ କାରଖାନା ର ଆବର୍ଜନା, ସମୁଦ୍ର ର ୨୫ଫାଦାନ ପର୍ଯ୍ଯନ୍ତ‘ କୌଣସି ବି ମାଛ ରହୁନଥିବା ବେଳେ ବର୍ଷା ସମୟରେ ସମୁଦ୍ରକୁ ବଢି ପାଣି ପଶୁନାହିଁ ଏବଂ ବଢି ପାଣି ପଶୁଥିବା ବେଳେ ବର୍ଷା ହେଉନାହିଁ କି ଉତରା ପବନ ବହୁନାହିଁ। ତେଣୁ ଇଲିସି ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଖାଉଟି ଓ ମତ୍ସ୍ୟଜୀବୀ।

ଗତ ତିନି ବର୍ଷ ହେଲା ଇଲିସି ମାଛ ପଡୁନଥିବାରୁ ଏହା ଉପରେ ନିର୍ଭର କରୁଥିବା ପ୍ରାୟ ୬୦ ହଜାର ରୁ ଉର୍ଦ୍ଧ ପରିବାର ପ୍ରଭାବିତ ହୋଇଛନ୍ତି। ଏହି ମାଛ କେବଳ ଗିଲିଟିନ (ଛୋଟଡଙ୍ଗା) ରେ ପଡିଥାନ୍ତି। ବଡ ବଡ ବୋଟ ଗୁଡିକର ମେସିନ ଯୋରରେ ସାଉଣ୍ଡ କରୁଥିବାରୁ, ଛୋଟ ଡଙ୍ଗାରେ ହିଁ ଇଲିସି ମାଛ ପଡିଥାନ୍ତି। ପାରାଦୀପ ଅଠରବାଙ୍କି ର ବାଲିପ୍ଲଟରେ ପାଖାପାଖି ୬୦୦ ଶହ ରୁ ଉର୍ଦ୍ଧ ଛୋଟ ଯନ୍ତ୍ର ଚାଳିତ ଡଙ୍ଗା, ୨୦୦ଶହରୁ ଉର୍ଦ୍ଧ ମଧ୍ଯମ ଧରଣର ମେସିନ ଚାଳିତ ଟାପା ଓ ପାଖାପାଖି ୨୦୦ ଶହ ଦେଶୀ ଡଙ୍ଗା ଏହି ମାଛ ଧରାରେ ନିୟୋଜିତ ଅଛନ୍ତି। ଏହି ୧୦୦୦ ରୁ ଉର୍ଦ୍ଧ ଡଙ୍ଗା ସାହାଯ୍ଯରେ ଟନ୍‌ ଟନ୍‌ ଇଲିସି ବାଲିପ୍ଟଟ ରେ ଗଦା ହେବା ସହିତ ନିଲାମ କରାଯାଇଥାଏ।

ଏହି ସମୟରେ ଇଲିସି ର ଓଜନ କୁ ନେଇ ଯୋଡା ୧୦୦ ଟଙ୍କା ରୁ ୩୦୦ ଟଙ୍କା ମଧ୍ଯରେ ରହିଥାଏ। ମାତ୍ର ଏହି ଇଲିସି ମାଛ ୨୦୦ ଶହ ଗ୍ରାମ ଓଜନର ମାଛ କିଲୋ ପ୍ରତି ୩୦୦ ରୁ ୭୦୦ ଟଙ୍କା ରହିଥିବା ବେଳେ ୫୦୦ ଗ୍ରାମ ରୁ ଦେଢ କିଲୋ ଓଜନର ମାଛ ୧୨ ଶହ ଟଙ୍କା ରୁ ୨୧ ଶହ ଟଙ୍କା ରହିଛି। ସେହିପରି ଦେଢ କିଲୋରୁ ଦୁଇ କିଲୋ ଓଜନର ଥିବା ମାଛ ୨୫୦୦ ଟଙ୍କା ରୁ ୩୦୦୦ ଟଙ୍କା ରହିଛି। ଯାହା ସାଧାରଣ ଖାଉଟି ଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟ ବ୍ଯବସାୟୀ ଓ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଭାବିତ କରିଛି। ଅନ୍ଯପଟେ ହାର ରାଜ୍ଯରୁ ଇଲିସି ଆଣି ବ୍ଯବସାୟୀ ମାନେ ଦି ପଇସା ଆଶାରେ ରୋଜଗାର କରୁଥିବା ବେଳେ ଏହା ସୁଆଦିଆ ନ ଥିବା ବେଳେ ବରଫରେ ଅଧିକ ଦିନ ରହୁଥିବାରୁ ପଚିଯାଇ ନଷ୍ଟ ହେଉଛି। ଫଳରେ ବୟବସାୟୀ ମାନେ ଏଥିରୁ ମଧ୍ଯ ଧିରେ ଧିରେ ଦୂରେଇ ଯାଉଛନ୍ତି। କାରଣ ଏହି ଦେଢ ମାସ ର ବ୍ଯବସାୟ ପାଖାପାଖି 60 ହଜାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାରକୁ ବର୍ଷ ସାରା ଚଳିବାରେ ସହାୟକ ହୋଇଥାଏ।

ଜଳବାୟୁରେ ପରିବର୍ତନ ଓ ଶିଳ୍ପ କାରଖାନା ର ଆବର୍ଜନା ଯୁକ୍ତ ପାଣି ସହିତ ମହାନଦୀର ଉପରମୁଣ୍ଡରେ ଛତିଶଗଡର ଡ୍ଯାମ ଯୋଗୁଁ ସୁଆଦିଆ ଇଲିସି ମାଛ ପାରାଦୀପର ବାଟ ଭୁଲି ଯାଇଥିବା ବେଳେ ପାରାଦୀପ ଓ କେନ୍ଦ୍ରାପଡା ଅଂଚଳର ୬୦ ହଜାର ରୁ ଉର୍ଦ୍ଧ ମତ୍ସ୍ୟଜୀବି ପରିବାର ହେଉଛନ୍ତି ପ୍ରଭାବିତ। ତେବେ ଦେଖିବାକୁ ବାକି ରହିଲା କେବେ ଜଳବାୟୁର ପୂନଃ ପରିବର୍ତନ ହେଉଛି, ଆଉ ଏହି ସୁଆଦିଆ ଇଲିସି କେବେ ପାରାଦୀପ ମୁହାଁ ହେଉଛନ୍ତି।

ପାରାଦୀପରୁ ହରିଶ୍ଚନ୍ଦ୍ର ଲେଙ୍କାଙ୍କ ରିପୋର୍ଟ , କେନ୍ଯୁଜ୍

 

You might also like