ଅସ୍ତରଙ୍ଗର ଦେବୀନଦୀ ମୁହାଣରେ ଆଉ ଦେଖିବାକୁ ମିଳୁନି ଇଲିଶି ମାଛ, ଲୋପ ପାଇଯିବ ଏମାନଙ୍କ ବଂଶ!

କାକଟପୁର: ଓଡ଼ିଶାର ଲୋକମାନେ ହେଉଛନ୍ତି ଖାଇବା ପ୍ରିୟ । ଆମିଷ ଏବଂ ନିରାମିଷ ଖାଦ୍ୟ ମଧ୍ୟରେ ବିଶେଷ ଭାବରେ ଆମିଷ ଖାଦ୍ୟ ପ୍ରତି ଅଧିକ ରୁଚି ରହିଥାଏ । ଓଡ଼ିଶାର ୪୮୦ କିଲୋମିଟର ସାମୁଦ୍ରିକ ଅଞ୍ଚଳ ସହିତ ଅନେକ ନଦୀ ଏବଂ ଚିଲିକା ଭଳି ଏକ ବିଶାଳ ଲୁଣୀ ହ୍ରଦରେ ପ୍ରଚୁର ପରିମାଣ ମାଛ ଉତ୍ପାଦନ ହୋଇଥାଏ । ଏହିସବୁ ଭିତରେ ଚିଙ୍ଗୁଡି , କଙ୍କଡା ,ସହିତ ବିଭିନ୍ନ ପ୍ରଜାତିର ଲୁଣୀ ଏବଂ ମଧୁରୀ ମାଛ ଲୋକମାନଙ୍କର ପସନ୍ଦ ରହିଥାଏ । ବିଶେଷ ଭାବରେ ଇଲିଶି ମାଛ କଥା ଯଦି ପଡିଥାଏ ତେବେ ଆମିଷ ପ୍ରେମୀ ଲୋକ ମାନଙ୍କ ପାଟିରୁ ଲାଳ ବାହାରି ଆସିଥାଏ । ଓଡିଆରେ ଗୋଟେ ଲୋକକଥା ମଧ୍ୟ ବେଶ ପ୍ରଚଳିତ ରହିଛି ‘ଚାକିରି କରିବ ପୋଲିସି ମାଛ ଖାଇବ ଇଲିଶି’। ତେଣୁ ଇଲିଶ ମାଛ ହେଉଛି ମାଛ ଭିତରେ ରାଜା । ମାଛ ବୋଲି ଆମିଷ ପ୍ରିୟ ଲୋକମାନେ ମତ ଦେଇଥାନ୍ତି କାହିଁକି ନା ଇଲିଶି ମାଛର ସ୍ୱାଦ ଅନ୍ୟ ମାଛ ସ୍ୱାଦ ଠାରୁ ବେଶ ନିଆରା ।
ଏହି ଇଲିଶି ମାଛ ବର୍ଷର ସବୁ ସମୟରେ ମିଳି ନ ଥାଏ । ଏହି ମାଛ ଅଗଷ୍ଟ ଆଉ ସେପ୍ଟେମ୍ବର ମାସ ମଧ୍ୟରେ ଦେଖାଦେଇଥାନ୍ତି । ନଦୀରେ ବନ୍ୟାଜଳ ଆସିଲେ ଏହି ମାଛ ମାନେ ସମୁଦ୍ର ଉପକୂଳ ମୁହାଣ ଅଞ୍ଚଳକୁ ଆସିଯାଇଥାନ୍ତି । ଏହି ସମୟରେ ମତ୍ସଜୀବୀ ମାନେ ସମୁଦ୍ର ଏବଂ ମୁହାଣ ନିକଟ ନଦୀ ମଧ୍ୟରୁ ଇଲିଶି ମାଛକୁ ଧରିଥାନ୍ତି । କୁହାଯାଏ ଯେ ଇଲିଶି ମାଛ ଗଭୀର ସମୁଦ୍ର ଅଞ୍ଚଳରେ ରହିଥାଏ, ବିଶେଷ ଭାବରେ ବାଙ୍ଗଲାଦେଶର ଡାଇନାମା ହାୱଡା ସମୁଦ୍ର ଅଞ୍ଚଳରେ ଇଲିଶି ମାଛଙ୍କ ରହିବା ସ୍ଥାନ । ନଦୀରେ ବନ୍ୟାଜଳ ଆସିଲେ ମଧୁର ଗୋଳିଆ ପାଣିକୁ ଏହି ମାଛ ଚାଲି ଆସିଥାନ୍ତି । ଏହି ସମୟରେ ସହ ସହ କୁଇଣ୍ଟାଲ ଇଲିଶି ମାଛ କୁ ଧୀବର ମାନେ ଜାଲ ପକାଇ ଧରିଥାନ୍ତି ,ଏହି ସମୟରେ ଲୋକମାନେ କମ୍ ମୂଲ୍ୟରେ ସ୍ଵାଦିଷ୍ଟ ଇଲିଶି ମାଛକୁ ଖାଇବା ପାଇଁ ବିଭିନ୍ନ ନଦୀକୂଳ ଏବଂ ମାଛ ଧରା ଜେଠିରେ ଭିଡ ଜମାଇଥାନ୍ତି ।
ଅସ୍ତରଙ୍ଗ ଦେବୀମୁହାଣ ଅଞ୍ଚଳରେ ଉତ୍ପାଦନ ହେଉଥିବା ଇଲିଶି ମାଛର ସ୍ୱାଦ ବେଶ ନିଆରା । କିନ୍ତୁ କିଛି ବର୍ଷ ହେବ ଏହି ଇଲିଶି ମାଛ ଖାଇବା ତ ଦୂରର କଥା ସାଧାରଣ ରେ ଦେଖିବାକୁ ଆଉ ମିଳୁନାହାନ୍ତି । ଦିନ ଥିଲା ଅସ୍ତରଙ୍ଗ ନିକଟ ନୂଆଗଡ ମାଛ ଧରା ଜେଠିରେ ଧୀବର ମାନେ କୁଇଣ୍ଟାଲ କୁଇଣ୍ଟାଲ ଇଲିଶି ମାଛ ଅସ୍ତରଙ୍ଗ ସମୁଦ୍ରରୁ ମାରୁଥିଲେ । କିନ୍ତୁ କିଛି ବର୍ଷ ହେବ ଏହି ସୁଆଦିଆ ଇଲିଶି ମାଛ ଆଉ ଦେଖିବାକୁ ମିଳୁନି। ଇଲିଶି ବଂଶ ଲୋପ ପାଇବାକୁ ଯିବା ର ମୁଖ୍ୟ କାରଣ ନଦୀ ସମୁଦ୍ର
କୁ ଛଡା ଯାଉଥିବା ବିଷାକ୍ତ ରାସାୟନିକ ଜଳ ସହିତ ପରିବେଶ ପରିବର୍ତନ କୁ ଦାୟୀ କରିଛନ୍ତି ପରିବେଶବିତ।
ଦିନକୁ ଦିନ ନଦୀ ସମୁଦ୍ରର ପ୍ରଦୂଷଣ ମାତ୍ରା ବଢିବଢି ଚାଲିଛି । ବିଭିନ୍ନ କଳ କାରଖାନାର ରାସାୟନିକ ବର୍ଜ୍ୟବସ୍ତୁକୁ ସିଧାସଳଖ ନଦୀ ଏବଂ ସମୁଦ୍ର ମଧ୍ୟକୁ ଛଡା ଯାଉଛି । ସେହିଭଳି ସମୁଦ୍ର ଏବଂ ନଦୀ ଉପକୂଳରେ ମାଳ ମାଳ ଚିଙ୍ଗୁଡି ଘେରି ଗଢି ଉଠିଥିବା ବେଳେ ଏହି ସବୁ ଘେରିର ରାସାୟନିକ ଜଳକୁ ସିଧାସଳଖ ନଦୀ ଏବଂ ସମୁଦ୍ରକୁ ଛଡା ଯାଉଛି , ଯାହା ଫଳରେ ଅନେକ ସାମୁଦ୍ରିକ ଜୀବ ଏବଂ ମାଛ ବଂଶ ଲୋପ ହେବାର ମୁଖ୍ୟ କାରଣ ସାଜିଛି । ଏହିଭଳି ଭାବରେ ବଢୁଥିବା ପ୍ରଦୂଷଣର ମାତ୍ରା ଯଦି ଆଗକୁ ବଳବତର ରହେ ତେବେ ଇଲିଶି ମାଛ ଭଳି ସାମୁଦ୍ରିକ ମାଛ ସମ୍ପଦ ଦିନେ ସବୁଦିନ ପାଇଁ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ ।
ମନୁଷ୍ୟ କୃତ ପ୍ରଦୂଷଣ ଏବଂ ସମୁଦ୍ର ଏବଂ ନଦୀର ଜଳ କୁ ବିଷକ୍ତ କରିବା ଅନେକ ସାମୁଦ୍ରିକ ଜୀବଙ୍କ ବିଲୁପ୍ତର ମୁଖ୍ୟ କାରଣ ସାଜିଛି । ଦିନ ଥିଲା ଅସ୍ତରଙ୍ଗର ଦେବୀନଦୀ ମୁହାଣ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ମାଛ ପ୍ରଚୁର ପରିମାଣରେ ଧୀବର ମାନଙ୍କ ଜାଲରେ ଧରାହେଉଥିଲା ସେମାନକ ମଧ୍ୟରୁ ଇଲିଶି ମାଛ ,ବେକଟି ମାଛ ,କଣି ମାଛ ,ପାମ୍ପଲେଟ ମାଛ ,ନୀଳ ବାଗଦା ଚିଙ୍ଗୁଡି ଭଳି ସୁଆଦିଆ ଏବଂ ଦାମିକା ମାଛ ଧୀବର ମାନଙ୍କୁ ରୋଜଗାର ଦେଉଥିଲା ,କିନ୍ତୁ ଆଜି ଏହି ସବୁ ମାଛ ସାଧାରଣରେ ସ୍ୱପ୍ନ ପାଲଟିଛି ।