ବେଲଗାମ ହାଇୱା ଟ୍ରକ, ରାସ୍ତାକୁ ବାହାରିବାକୁ ଡରୁଛନ୍ତି ଲୋକେ

ବେଗୁନିଆ: ରାସ୍ତାରେ ବେଲଗାମ ହାଇୱା ଟ୍ରକ । ରାତିଦିନ ଚାଲିଛି ବେପରୁଆ ଗାଡି ଚାଳନା । ନାହିଁ ପ୍ରଶାସନିକ ଅଙ୍କୁଶ । ଏନେଇ ପ୍ରତିଦିନ ଘଟୁଛି ଦୁର୍ଘଟଣା । ହାନି ହେଉଛି ଅନେକ ଧନ ଜୀବନ । ଏବେ ପରିସ୍ଥିତି ଏମିତି ହେଲାଣି ଯେ ଲୋକେ ରାସ୍ତାକୁ ବାହାରିବାକୁ ଡରୁଛନ୍ତି । ଏ ହେଉଛି ଖୋର୍ଦ୍ଧା କଣ୍ଟିଲୋ ଆଉ ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତା । ଆଉ ଏହି ରାସ୍ତାରେ ରାତି ଦିନ ୨୪ଘଣ୍ଟା ଚାଲିଛି ହାଇୱା ଟ୍ରକମାନଙ୍କ ରାଜୁତି ।
ପ୍ରତି ମିନିଟରେ ଯାଉଛି ଶହ ଶହ ବାଲି ଆଉ ମୋରମ ବୋଝେଇ ହାଇୱା ଟ୍ରକ । ଖାଲି ଏହି ଟ୍ରକ ଯାତାୟାତ ତାହା ନୁହେଁ ବେପରୁଆ ଗାଡି ଚାଳନା ନେଇ ଅତିଷ୍ଠ ଜନ ଜୀବନ । ଏହି ରାସ୍ତାରେ ଦୁର୍ଘଟଣା ଯେମିତି ନିତିଦିନିଆ କଥା ହୋଇଗଲାଣି । ଏହି ସବୁ ଗାଡି ପାଖ ଦେଇ ଯିବା ବି ବିପଦପୂର୍ଣ୍ଣ । ବାଙ୍କୀ, ବୈଦେଶ୍ଵର, କଣ୍ଟିଲୋ ଆଦି ମହାନଦୀରୁ ବାଲି ହେଉ କିମ୍ବା ସ୍ଥାନୀୟ ଅଞ୍ଚଳରୁ ମୋରମ ପରିବହନ ନେଇ କୌଣସି ସରକାରୀ ନିୟମ ଅବଲମ୍ବନ କରୁନାହାଁନ୍ତି ଏହି ହାଇୱା ଟ୍ରକ ବ୍ୟବସାୟୀ ।
ଦିନବେଳେ ପରିବହନ କଟକଣା ସହିତ ସୀମିତ ବେଗ ନିୟନ୍ତ୍ରଣ ଏବଂ ଓଭରଲୋଡ଼ିଂ ବେଆଇନ ସତ୍ୱେ ଏମାନଙ୍କର ଏଥି ପ୍ରତି କୌଣସି ଆକ୍ସନ ନିଆଯାଉ ନାହିଁ । ସ୍ଥାନୀୟ ପୋଲିସ ପ୍ରଶାସନର ଏମାନଙ୍କୁ କାଁ ଭାଁ ଲୋକଦେଖାଣିଆ ଜବତ କରୁଥିବାବେଳେ ପରବର୍ତ୍ତୀ ସମୟରେ ଛାଡ଼ିଦେବା ଅନେକ ପ୍ରଶ୍ନ ଠିଆ କରୁଛି । ତେବେ ଏ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଲାଣି ।
Also read: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟ, ରାଜ୍ୟରେ ଉପକୂଳ ସୁରକ୍ଷା କଡ଼ାକଡ଼ି