ଅଡୁଆରେ ଆପୋଲୋ, ବେଆଇନ କିଡନୀ ପ୍ରତିରୋପଣ କେଳେଙ୍କାରୀ ଉପରୁ ହଟୁଛି ପରଦା

ଆପୋଲୋ ହସ୍ପିଟାଲ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ। ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ କେବେ କାର‌୍ୟ୍ୟକାରୀ କରିବେ ରାଜ୍ୟ ସରକାର। ବିରୋଧୀ କହିଛନ୍ତି, ସ୍ୱାସ୍ଥ୍ୟ ଘଟଣାରେ କାହାରିକୁ ମାଫ କରିବା କଥା ନୁହେଁ। କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ହସ୍ତଗତ ହୋଇନାହିଁ। ନିର୍ଦ୍ଦେଶ ମିଳିବା ପରେ ତର୍ଜମା କରି ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

ଖୋଲୁଛି ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଗୁମର । ବେଆଇନ କିଡନୀ ପ୍ରତିରୋପଣ କେଳେଙ୍କାରୀ ଉପରୁ ହଟୁଛି ପରଦା। ଅଡୁଆରେ ଆପୋଲୋ । ରଦ୍ଦ ହୋଇପାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ପଞ୍ଜୀକରଣ। ବେଆଇନ କିଡ୍‌ନୀ ପ୍ରତିରୋପଣ କରିବା ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ହସ୍ତଗତ ହୋଇନାହିଁ । ନିର୍ଦ୍ଦେଶ ମିଳିବା ପରେ ତର୍ଜମା କରି ଆଇନ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

ରାଘବରାମ ଦୋରା ନାମକ ବ୍ୟକ୍ତିଙ୍କ କିଡ୍‌ନୀ ପ୍ରତିରୋପଣ ଜରୁରୀ ଥିଲା । ଏଥିପାଇଁ ପୀଡିତ ଅନୀଲକୁମାର ସ୍ୱାମୀଙ୍କୁ ରାଘବରାମଙ୍କ ସାନ ଭାଇ ଜୟରାମ ଦୋରା ଦର୍ଶାଇ କିଡ୍‌ନୀ ପ୍ରତିରୋପଣ ପାଇଁ ଏନ୍‌ଓସି ହାସଲ କରାଯାଇଥିଲା । ଏପରିକି ହସ୍ପିଟାଲ କତ୍ତୃପକ୍ଷ ଅନୀଲଙ୍କୁ ଜୟରାମ ଦୋରା ଦର୍ଶାଇ କିଡ୍‌ନୀ ପ୍ରତିରୋପଣ କରିଥିଲେ । ଏସଂପର୍କରେ ଅନୀଲ ଜାଣିପାରିନଥିଲେ । ପରେ ୨୦୧୬ ମସିହା ଜାନୁଆରୀ ୨ ତାରିଖରେ ଅନୀଲ କୁମାର ବରଗଡ଼ ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣା ସଂପର୍କରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେପଟେ ବିରୋଧୀ କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇନକୁ ଫାଙ୍କିଥିବା ହସ୍ପିଟାଲ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେଉ।

ପୂର୍ବରୁ କଳିଙ୍ଗ ହସ୍ପିଟାଲ ବିରୋଧରେ ରୋଗୀ ମାରଣ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏବେ ଆପୋଲୋ ହସ୍ପିଟାଲ ବିରୋଧରେ ସଂଗୀନ ଅଭିଯୋଗ ତଥ୍ୟ ପ୍ରମାଣ ସହ ଆସିଛି । ଏହାସହ ଖୋଦ୍‌ ଜାତୀୟ ମାନବାଧିକାର କମିଶନ କାର‌୍ୟ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ୱାସ୍ଥ୍ୟବିଭାଗ ଆପୋଲ ବିରୋଧରେ କେବେ କାର‌୍ୟ୍ୟାନୁଷ୍ଠାନ ନେଉଛି ତା ଉପରେ ସମସ୍ତଙ୍କ ନଜର ।