ଚାଲିଛି ସଡ଼କ ସୁରକ୍ଷା ମାସ, ଦୁର୍ଘଟଣା ବଢ଼ାଉଛି ଜାତୀୟ ରାଜପଥରେ ବେଆଇନ ପାର୍କିଂ

ଯାଜପୁର: ରାଜ୍ୟବ୍ୟାପୀ ଚାଲିଛି ସଡ଼କ ସୁରକ୍ଷା ମାସ । ଦୁର୍ଘଟଣାକୁ ରୋକାଯିବା ପାଇଁ ସଚେତନତା ସୃଷ୍ଟି ସହ ନିଆଯାଉଛି ପଦକ୍ଷେପ । କିନ୍ତୁ ଦୁର୍ଘଟଣାରେ ରୋକ ଲାଗି ପାରୁନାହିଁ । ବିଶେଷ କରି ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଥିବା ଜାତୀୟ ରାଜପଥ ଗୁଡିକରେ ବଢ଼ି ଚାଲିଛି ଦୁର୍ଘଟଣା । ଏହାର ମୁଖ୍ୟ କାରଣ ହେଉଛି ବେଆଇନ ପାର୍କିଂ।

ତେବେ ସଡ଼କ ସୁରକ୍ଷା ସପ୍ତାହ ନୁହେଁ ଏଥର ପାଳନ କରାଯାଉଛି ସଡ଼କ ସୁରକ୍ଷା ମାସ । ଲକ୍ଷ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ସହ ଦୁର୍ଘଟଣାର ସଂଖ୍ୟାକୁ ହ୍ରାସ କରିବା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଥିବା ୧୬ନଂ ଜାତୀୟ ରାଜପଥରେ ବେଆଇନ ପାର୍କିଂ ପାଇଁ ବଢୁଛି ଦୁର୍ଘଟଣା ।

ପରିସଂଖ୍ୟାନରୁ ଜଣାଯାଏ ଗତ ୨ବର୍ଷ ମଧ୍ୟରେ ଅନ୍ୟୁନ ୫୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବେଆଇନ ପାର୍କିଂ ଉପରେ ରୋକ ଲଗାଯାଇ ପାରୁନଥିବା ଯୋଗୁ ଦୁର୍ଘଟଣାର ହାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ପରିବହନ ବିଭାଗ, ପୋଲିସ ଓ ଏନଏଚଏଆଇ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଆଖି ବୁଜି ଦେଉଛନ୍ତି । ଫଳରେ ବେଆଇନ ପାର୍କିଂ ବୃଦ୍ଧି ପାଇବା ସହ ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଧନ ଜୀବନ ହାନୀ ହେଉଛି ।

ବିଶେଷ କରି ୧୬ନଂ ଜାତୀୟ ରାଜପଥର ଛତିଆ ଠାରୁ କୁଆଖିଆ ମଧ୍ୟରେ ବହୁ ଦୁର୍ଘଟଣା ଘଟୁଥିବାରୁ ଏହା ଦୁର୍ଘଟଣା ଜୋନ ପାଲଟିଛି । ଅନେକ ସମୟରେ ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ଭାବେ ଟ୍ରକ ଗୁଡିକ ପାର୍କିଂ କରାଯାଉଛି । ଘଣ୍ଟା ଘଣ୍ଟା ଧରି ଗାଡି ରାସ୍ତା ଉପରେ ଛିଡା ହୋଇ ରହୁଛି । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଗାଡି ଚାଳକ ମାନେ ଛିଡା ହୋଇ ରହୁଥିବା ଗାଡି ଗୁଡିକ ପଛ ପଟେ ଧକ୍କା ଦେଉଥିବା ଦେଖିବାକୁ ମିଳିଛି ।

 ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି ନଥିବାରୁ ରାସ୍ତା ଉପରେ ଗାଡି ଛିଡା କରି ଗାଡି ଚାଳକ ମାନେ ଅନାୟାସରେ ଚାଲି ଯାଉଛନ୍ତି । ଅନ୍ୟପକ୍ଷରେ ଜାତୀୟ ରାଜପଥ ରାସ୍ତା ମରାମତି ହେଉନଥିବାରୁ ମଧ୍ୟରେ ଗାଡି ଚାଳକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଦୁର୍ଘଟଣାକୁ ରୋକାଯିବା ସହ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ବିଭାଗ ଅଧିକାରୀ ।