ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଚାଲିଥିଲା ଜୁଆ ଆଡା ସହିତ ବ୍ରାଉନ୍ ସୁଗାର ବେପାର , ଜାଣନ୍ତୁ କେମିତି ହେଲା ଚଢାଉ

ଭୁବନେଶ୍ୱର: ଛାତ୍ରାବାସରେ ଚାଲିଛି ମଦର ଆସର ସହିତ ଜମୁଛି ଜୁଆ ଆଡ଼ା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହା ରାଜ୍ୟର ସୁପ୍ରତିଷ୍ଠିତ ସୁନାମଧନ୍ୟ ଭୁବନେଶ୍ବର ବାଣୀବିହାରରେ ଅବସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରାବାସ । ଏଠାରେ ବହୁ ଛାତ୍ର ଛାତ୍ରୀ ପାଠପଢି ନିଜ ସଫଳତାର ଶିର୍ଷରେ ପହଁଚି ପାରିଥିବାବେଳେ କିଛି ବେଲଗାମ ଛାତ୍ର ଏବଂ ଅଣଛାତ୍ରଙ୍କ ପାଇଁ ଏବେ ଓଡିଶାର ଗୌରବରେ ଲାଗିଛି କଳା ଛିଟା ।

ଆଜ୍ଞା ହଁ ଏଠାରେ ଏବେ ଚାଲିଥିଲା ବ୍ରାଉନ୍ ସୁଗାର ବେପାର । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମିଳିତ ଚଢ଼ଉ କରିଥିବାବେଳେ ୭ ନମ୍ବର ଛାତ୍ରାବାସରୁ ମିଳିଛି କିଛି ଆପତ୍ତିଜନକ ସାମଗ୍ରୀ। ଛାତ୍ରାବାସରୁ ପ୍ରାୟ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍ ଜବତ କରାଯିବା ସହ ଏଠାରେ ରହୁଥିବା ୪୫୦ ଅଣଛାତ୍ରଙ୍କୁ ବାହାର କରିଦିଆଯାଇଛି। ଏହା ବର୍ତ୍ତମାନର କଥା ନୁହେଁ ଦୀର୍ଘ ଅଢ଼େଇ ବର୍ଷ ତଳେ ୭ ନମ୍ବର ହଷ୍ଟେଲ ଉଦ୍ଘାଟନ ହେବା ପରେ ଏହି ଛାତ୍ରାବାସକୁ ଅଣଛାତ୍ରମାନେ ନିଜ କବ୍ଜାକୁ ନେଇଥିଲେ। ସେଠାରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ତେବେ ଏହି ସବୁ କଥା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଥିଲା। ହେଲେ ସେମାନଙ୍କୁ ହଟାଇବାକୁ ସାହସ ଜୁଟାଇ ପାରୁ ନଥିଲେ।  ଏପରିକି ୪ ଦିନ ତଳେ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ହଷ୍ଟେଲ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ସେମାନଙ୍କ ଉପରେ ଟେକା ପଥର ମାଡ଼ ହୋଇଥିଲା।

ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟ ଛାତ୍ରାବାସର ମୁଷ୍ଟିମେୟ ଛାତ୍ରନେତାଙ୍କ ପ୍ରୋତ୍ସାହନରେ ଅଣଛାତ୍ରମାନେ ରହିଥିଲେ। ଗତ ରବିବାର ସହିଦନଗର ଥାନାରେ ପୁଲିସକୁ ଆକ୍ରମଣ ପରେ ଏମାନଙ୍କୁ ହଟାଇବା ଲାଗି ଦାବି ଜୋର୍ ଧରିଥିଲା। ଗୋଟିଏ ଗୋଷ୍ଠୀର ଛାତ୍ରମାନେ କୁଳପତିଙ୍କ ନିକଟରେ ଦାବି କରିଥିଲେ। ସେମାନଙ୍କୁ ହଟିଯିବା ପାଇଁ କର୍ତ୍ତୃପକ୍ଷ ନୋଟିସ୍ ମଧ୍ୟ କରିଥିଲେ। ହେଲେ ସମ୍ଭବ ନ ହେବାରୁ କର୍ତ୍ତୃପକ୍ଷ ଡିସିପିଙ୍କୁ ଚିଠି ଲେଖିଥିଲେ। ଏହାପରେ ଡିସିପି ବୈଠକ କରିବା ସହ ଆରମ୍ଭ କରିଥିଲେ ଅପରେସନ । ହଠାତ୍ ଗତକାଲି ଅପରାହ୍ନ ୩ଟାରୁ ୭ନମ୍ବର ହଷ୍ଟେଲ ଉପରେ ଚଢ଼ଉ ହୋଇଥିଲା। ସହିଦନଗର, ମଞ୍ଚେଶ୍ବର, ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୫ପ୍ଲାଟୁନ୍ ପୁଲିସ ଫୋର୍ସ, ବିଶ୍ବବିଦ୍ୟାଳୟ କୁଳସଚିବ, ପିଜି କାଉନସିଲ୍ ଅଧ୍ୟକ୍ଷ, ହଷ୍ଟେଲ ୱାର୍ଡେନ୍, ଡିଏସ୍‌ଡବ୍ଲୁ, ସିଡିସି ନିର୍ଦେଶକ, ସମସ୍ତ ଛାତ୍ରାବାସର ଅଧୀକ୍ଷକ, ଉପଅଧୀକ୍ଷକ ଏଥିରେ ସାମିଲ ହୋଇଥିଲେ।

ଏହି ଚଢାଉରେ ଶୌଚାଳୟରୁ ୨୩୭ଟି ଖାଲି ମଦ ବୋତଲ ଜବତ କରାଯାଇଛି। ଏଗୁଡ଼ିକ ଏକ କଣରେ ଜମା ହୋଇ ରହିଥିଲା। ମଦ ଭର୍ତ୍ତି ଥିବା ପ୍ରାୟ ୨୦୦ରୁ ଅଧିକ ବୋତଲ ହଷ୍ଟେଲ ରୁମ୍ ଥାକରେ ଖଞ୍ଜା ହୋଇଥିଲା। ହଷ୍ଟେଲ ଭିତରେ ଥିବା ଡାଇନିଂରେ ୧୨୦ଟି ଖାଲି ସିଗାରେଟ୍ ପ୍ୟାକେଟ୍ ଖୋଳ, ୧୫ଟି ସିଗାରେଟ୍ ଭର୍ତ୍ତି ପ୍ୟାକେଟ୍, ଘର ବାହାରୁ ୫ଟି କଣ୍ଡମ୍ ପ୍ୟାକେଟ୍, ଗୋଟିଏ ହୁକା ଓ ଚରସ ପ୍ୟାକେଟ୍ ଜବତ ହୋଇଛି। ଯାଞ୍ଚ ବେଳେ ଜଣେ ବି ହେଲେ ଛାତ୍ରଙ୍କୁ ଦେଖିବାକୁ ମିଳି ନଥିଲା। ଯେଉଁମାନେ ରହୁଥିଲେ ସମସ୍ତେ ଅଣଛାତ୍ର। ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଶନିବାର ଗିରଫ ହେବା ପରେ ଛାତ୍ରାବାସରେ ଏହି ଚଢାଉକୁ ନେଇ ଏବେ କ୍ୟାମ୍ପସରେ ଚର୍ଚ୍ଚା ହେଉଛି ଯେ ପ୍ରକାଶ ଓ ତାଙ୍କ ସମର୍ଥକମାନେ ଏହି ହଷ୍ଟେଲରେ ଆଡ଼ା ଜମାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.