ପୋଲିସ ଚାକିରି କରି ପୁଣି ଲୋଭ: ନକଲି ମଦ ଫ୍ୟାକ୍ଟ୍ରୀ ଚଳାଇଥିବା କନେଷ୍ଟବଳକୁ ଗିରଫ କଲା ବ୍ରହ୍ମପୁର ବଡ଼ ବଜାର ପୋଲିସ       

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗରହଣ୍ଡି ଅଞ୍ଚଳରେ ଏକ କୁକୁଡ଼ା ଫାର୍ମ ହାଉସରେ ତିଆରି ହେଉଥିଲା ଡୁପ୍ଲିକେଟ୍ ମଦ  । ଆଉ ଏହି ମଦ ବିକ୍ରି ହେଉଥିଲା ବ୍ରହ୍ମପୁର ସହରର ବଡ଼ ବଜାର ଅଞ୍ଚଳରେ  । ନକଲି ମଦ ପ୍ରସ୍ତୁତ କରି ସାରିବା ପରେ ଏକ ଅଟୋ ଯୋଗେ ବିକ୍ରି କରିବା ଲାଗି ବ୍ରହ୍ମପୁର ଆସୁଥିବା ନେଇ ବଡ଼ ବଜାର ଥାନାରେ କାର୍ଯ୍ୟରତ ସବ-ଇନିକ୍ସପେକ୍ଟର ରଞ୍ଜିତ କୁମାର ଦାଶ କୈାଣସି ସୂତ୍ରରୁ ଖବର ପାଇଥିଲେ  । ଏନେଇ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ସେହି ଅଟୋ ଉପରେ ଚଢାଉ କରାଯାଇଥିଲା  । ଚଢାଉ ବେଳେ ନକଲି ମଦ ବୋତଲ ଥିବା ନେଇ ପୋଲିସ ଦେଖିବା ପରେ ଡ୍ରାଇଭରକୁ ପଚରା ଉଚୁରା କରିବା ପରେ  ଦିଗପହଣ୍ଡି ଥାନା ଲଙ୍ଗଳଦେଇ ହନୁମାନ ନଗରରେ ନକଲି ମଦ କାରଖାନା ଉପରେ ଚଢାଉ କରିଥିଲା  ।

ପରେ ଏହି ଅଭିଯୋଗରେ ବଡ଼ ବଜାର ଥାନା  ପୋଲିସ ଜଣେ କନେଷ୍ଟବଳ ସମେତ ୩ ଜଣଙ୍କୁ ଗିରଫ କରିଛି । କନେଷ୍ଟବଳ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ହନୁମାନନଗର ଲଙ୍ଗଳଦେଇର  ଚିନିମିନି ବାରିକ । ସେ ବ୍ରହ୍ମପୁର ରିଜର୍ଭ ପୋଲିସର ବୋମା ସ୍କ୍ୱାଡ଼ରେ କାମ କରୁଥିବା ଜଣାପଡ଼ିଛି । ଏହା  ସହ ଅଟୋ ଡ୍ରାଇଭର ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁର ରନୋଜ ଦାସ  ଓ  ବ୍ରହ୍ମପୁରର ବାବୁ ସାହୁଙ୍କୁ  ପୋଲିସ ଗିରଫ କରିଛି  । ପୋଲିସ ନକଲି ମଦ କାରଖାନା ତଥା ଚିନିମିନି ବାରିକଙ୍କ ଫାର୍ମ ହାଉସରୁ ୪୦୪ଟି ନକଲି ବିଦେଶୀ ମଦ ବୋତଲ, ଖାଲି ମଦ ବୋତଲ, ୨ ଲିଟର ସ୍ପିରିଟ, ୧ ଲିଟର ପୋଚ, ୬୦ଟି ବିଭିନ୍ନ ବ୍ରାଣ୍ଡର ଲେବେଲ୍ ଜବତ କରିଛି । ତେବେ କେବେଠାରୁ ସେ ମଦ ଫେକ୍ଟ୍ରି ଚଳାଇଛନ୍ତି ଓ ତାଙ୍କ ସହ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି  । ଗିରଫ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି  ।

 

 

Leave A Reply

Your email address will not be published.