ଆହୁରି ୨୪ ଘଣ୍ଟା ସାରା ରାଜ୍ୟରେ ଶୀତ ଲହରୀ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତ ଲହରୀ । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ । କୋଇଡ଼ା, ଶିମିଳିପାଳ ଅଭୟାରଣ୍ୟ ଓ ରାଇକିଆରେ ତୁଷାରପାତ । ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବା ବେଳେ ବଢୁଛି ଶୀତ । ହାଡ଼ଭଙ୍ଗା ଶୀତ ଲୋକଙ୍କୁ କରୁଛି କଲବଲ । ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି । ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଘନ କୁହୁଡ଼ି ପାଇଁ କୋରାପୁଟ ଓ କନ୍ଧମାଳକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଥଣ୍ଡାର ପ୍ରକୋପ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ। ସୁନ୍ଦରଗଡ଼ର କୋଇଡ଼ା, ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ କନ୍ଧମାଳର ରାଇକିଆରେ ତୁଷାରପାତ । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ସର୍ବନିମ୍ନ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

କୋଇଡ଼ାରେ ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ପ୍ରବଳ ଜାଡ଼ ସାଙ୍ଗକୁ ପ୍ରାୟ ଦିନ ୧୦ଟା ଯାଏ ଘନ କୁହୁଡ଼ି ରହୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜାଡ଼ରେ ଥରିଛି କନ୍ଧମାଳ ଜିଲ୍ଲା ଉଦୟଗିରି । କନ୍ଧମାଳ ଜିଲ୍ଲାର ସବୁଠୁ ଥଣ୍ଡା ସହର ପାଲଟିଛି ଜି ଉଦୟଗିରି । ରାଇକିଆରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି ।

କେବଳ ଓଡ଼ିଶା ନୁହେଁ ଶୀତ ଲହରୀରେ ଥରୁଛି ଉତ୍ତର ଭାରତ। ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଶୀତ ଲହରୀ । ୟୁପିରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ଜାଡ଼ । ଚଣ୍ଡୀଗଡ଼ରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଓ ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି । ଆଗକୁ ଆହୁରି ଶୀତ ବଢ଼ିବା ସମ୍ଭାବନା ରହିଛି ।