ଉପାନ୍ତରେ ବର୍ଷା, ଉପକୂଳରେ ତାତି, ୧୧ ଜିଲ୍ଲାକୁ ଗରମ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଉପାନ୍ତରେ ହାଲୁକା ବର୍ଷା, ଉପକୂଳରେ ତାତି। ଏଭଳି ରହିବ ପାଣିପାଗର ମିଜାଜ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ରହିବ ପାଣିପାଗ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏହି ସମୟରେ କୋରପୁଟ, ରାୟଗଡ଼ା, ନୱରଙ୍ଗପୁର, ନୂଆପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ସେହିଭଳି ଆସନ୍ତାକାଲି ଉପକୂଳ ଓଡ଼ିଶାର ସହ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପଟେ ନୟାଗଡ଼, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ମଧ୍ୟ ସମାନ ସ୍ଥିତି ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ।