ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା, କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ସରିଲା ଦୁର୍ଗା ପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା ।  ମାଆଙ୍କ ମେଲାଣି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବର ଓ କଟକରେ ଭସାଣି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଟ୍ରାଫିକ କଟକଣା ଜାରି ହୋଇଛି । ଭୁବନେଶ୍ବରରେ ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ ।

ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି । ଭସାଣି ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ । ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଯାଇପାରିବେ ଯାତ୍ରୀ । ସେହିପରି ଭସାଣି ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ । ଭସାଣୀ ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା ।

ସେହିପରି କଟକରେ ମେଢ଼ ଗୁଡ଼ିକ ମୁଖ୍ୟ ରାସ୍ତାରେ ସୂଚାର ରୂପେ ଯିବା ପାଇଁ କଲେଜନ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀ ବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଉଁଳିଆପାଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହନ ଯାଇପାରିବେନାହିଁ।

କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ଼ ଯାଉନଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦ୍ଦେଶ ଅନୁଯାୟୀ ଯାନବାହାନ ଯାଇପାରିବେ । ଏହା ବାଦ୍ ସହରରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସିସିଟିଭି ନଜରରେ ରହିବ କଟକ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ।  ଅତ୍ୟାଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ପୁରା ସହରର ଭସାଣି ଉପରେ ନଜର ରଖିବ କମିଶନରେଟ ପୋଲିସ ।