ନିଆରା ପ୍ରେମ: ମୃତ୍ୟୁ ପରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରାଣ ପ୍ରତିଷ୍ଠା କଲେ ସ୍ତ୍ରୀ

ରାୟଗଡ଼ା : ମୃତ୍ୟୁର ଦୁଇବର୍ଷ ପରେ ବି ଭୁଲିପାରିନାହାନ୍ତି ସ୍ତ୍ରୀ । ସ୍ବାମୀଙ୍କ ଅବିକଳ ସିଲିକନ୍‌ ପ୍ରତିମୂର୍ତ୍ତି ତିଆରି କରି ବ୍ରାହ୍ମଣ ଡାକି ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା ବି କରିଛନ୍ତି । ପ୍ରତିମୂର୍ତ୍ତି ସହ ବିବାହ କରି ପିନ୍ଧୁଛନ୍ତି ଶଙ୍ଖା, ସିନ୍ଦୂର । ପ୍ରାଣ ପ୍ରତିଷ୍ଠା ପରେ ଏଣିକି ସବୁଦିନ ପୂର୍ବ ଭଳି ସ୍ବାମୀଙ୍କ ସହ କଟାଇବେ ବୋଲି କହିଛନ୍ତି ସ୍ତ୍ରୀ ସାଗରିକା ରାୟ । ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ନିଆରା ପ୍ରେମର ଏପରି ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ।

ସୂଚନା ଅନୁସାରେ ମୁନିଗୁଡାର ଜଣାଶୁଣା ଡାକ୍ତର ସମୀର ରାୟ ୨୦୨୩ରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସମୀର । ସ୍ବାମୀଙ୍କ ବିୟୋଗକୁ ସହ୍ୟ କରିପାରିନଥିଲେ ସ୍ତ୍ରୀ ସାଗରିକା । ସେପଟେ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁଅଝିଅ । ଅନ୍ତିମ ସଂସ୍କାର ସହ ଶୁଦ୍ଧିକ୍ରିୟା, ପ୍ରଥମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ପରେ ବି ମନ ବୁଝୁନଥିଲା । ଶେଷରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନ କରିବାକୁ ଇଚ୍ଛା କରିଥିଲେ ସାଗରିକା । ସିଲିକନ୍‌ ପ୍ରତିମୂର୍ତ୍ତି ତିଆରି କରିବାକୁ ସଂକଳ୍ପ କରିଥିଲେ । ଏଥିପାଇଁ ଧାରକରଜ କରିବା ସହ ନିଜ ସୁନାଗହଣା ମଧ୍ୟ ବିକ୍ରି କରିଛନ୍ତି।

ସ୍ବାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତିର ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ସୁଖ ଦୁଃଖ କହିଥାନ୍ତି । ସକାଳ ହେଲେ ତାଙ୍କ ଆଗରେ ଟେବୁଲରେ ଚା କପ୍ ସାଙ୍ଗକୁ ପେପର ବି ଥୋଇ ଦିଅନ୍ତି । ଏପରିକି ସମୀରଙ୍କ ପୁଅ ଝିଅ ମଧ୍ୟ ବାପାଙ୍କ ସହ କଥା ହୁଅନ୍ତି । କୋଳରେ ବସି ଗେଲ ହୁଅନ୍ତି । ନିଜ ପାଠପଢାଠୁ ଆରମ୍ଭ କରି ସବୁ କଥା ବାପାଙ୍କୁ ଜଣାନ୍ତି । ଗତ ୨୦୨୩ ମସିହାରେ ସମୀରଙ୍କ ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଏକ ମେଡିସିନ୍ ଷ୍ଟୋର କରି ପରିବାର ଗୁଜରାଣ ମେଣ୍ଟାଇବା ସହ ପିଲାଙ୍କୁ ପାଠ ପଢାଉଛନ୍ତି ସାଗରିକା ।

 

ଆହୁରି ପଢ଼ନ୍ତୁ : ଧରାପଡିଲେ କଇଁଛ ଗାଡି ସହ ଦୁଇ ଆସାମୀ, ୩୦୮ ଟି କଇଁଛ ଜବତ