କ୍ୟାପିଟାଲ ହସ୍ପିଟାଲ ଶବଗୃହ ପାଖର ବସିଛନ୍ତି ଏ ମାଉସୀ, ଏକା କରି ଛାଡି ଚାଲିଗଲେ ମଉସା

ଦିନେ ହାତରେ ଶଙ୍ଖା..ଚୁଡ଼ି ଶାଢ଼ୀ ପିନ୍ଧାଇ ମଥାରେ ସିନ୍ଦୁର ଲଗାଇ ଘରକୁ ଆଣିଥିଲା । ଆଉ ଆଜି ସବୁ ନେଇ ଚାଲିଗଲା ମୋତେ ଏକା କରି ।

ଭୁବନେଶ୍ୱର (କେନ୍ୟୁଜ) : ସାଥୀ..ଦିନେ ହାତରେ ଶଙ୍ଖା..ଚୁଡ଼ି ଶାଢ଼ୀ ପିନ୍ଧାଇ ମଥାରେ ସିନ୍ଦୁର ଲଗାଇ ଘରକୁ ଆଣିଥିଲା । ଆଉ ଆଜି ସବୁ ନେଇ ଚାଲିଗଲା ମୋତେ ଏକା କରି । ଏମିତି ଚିନ୍ତାରେ ବସି ଜଣେ ବୁଢ଼ୀ ମାଉସୀ ନିଜ ଶଙ୍ଖା ଚୁଡ଼ି ଆଡକୁ ଅପଲକ ନୟନରେ ଚାହିଁଥାନ୍ତି । ମୁଣ୍ଡର କେଶ ସବୁ ଧଳା ଝୋଟ ପାଲଟିଗଲାଣି । ସୁନ୍ଦର ରୂପ କାନ୍ତି ଆଗରେ ଏବେବି ବୁଢ଼ୀ ମାଉସୀଙ୍କ ବୟସ ହାର ମାନିଛି । କ୍ୟାପିଟାଲ ହସ୍ପିଟାଲ ପରିସରର ଯିବା ଆସିବା ଫାଟକକୁ ଲାଗି କାନ୍ଥ । କାନ୍ଥକୁ ଛାଡି ଅଳ୍ପ ଦୂରରେ ମାଟି ଉପରେ ଗୋଡ ଲମ୍ବାଇ ବୁଢ଼ୀ ମାଉସୀ ବସି ଏମିତି କେତେ କଣ ଭାବୁଛନ୍ତି । ବୋଧ ହୁଏ ବୁଢ଼ୀ ମାଉସୀ ଏକୁଟିଆ ହୋଇ ପଡିଛନ୍ତି । ଆଉ କେହି କୁଆଡେ ଦେଖା ଯାଉ ନାହାନ୍ତି । ବେଳେ ବେଳେ ବାହାର ଆଡକୁ ଚାହୁଁ ଦେଉଥାନ୍ତି । ଲାଗୁଥିଲା କାହାକୁ ଅପେକ୍ଷା କରିଛନ୍ତି ବୋଧେ ।

ପୁଣି ବସି କଣ ଟିକିଏ କଥା କହି ନିରବରେ ଚିନ୍ତାଶୀଳ ହୋଇପଡୁଥାନ୍ତି । ଠିକ ଏହି ସମୟରେ ପୋଲିସ ଆସି ଶବ ସଂରକ୍ଷଣ ଘର ଭିତରକୁ ଯାଇ ଗୋଟିଏ ବୃଦ୍ଧ ଲୋକଙ୍କ ଶବକୁ ତା ଭିତରୁ ଟାଣି ଦେଖା ଦେଖିକରି ଯାଞ୍ଚ କଲେ । ବୁଢ଼ୀ ମାଉସୀ ହଠାତ ଉଠି ଯାଇ ଶେଷ ଥର ପାଇଁ ତାରଜାଲି ଫାଙ୍କରେ ଟିକେ ଦେଖିଦେଲେ ବୁଢା ମଉସାଙ୍କୁ । ଲାଗୁଥିଲା ଏହି ବୋଧେ ଶେଷ ଦେଖା । ଆଖି କୋଣରେ ଲୁହ ଆସି ଜମାଟ ବାନ୍ଧି ସୁଖୀ ଗଲାଣି । କାନ୍ଦିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ କାନ୍ଦିବା ପାଇଁ ଆଖିରେ ଲୁହ ନାହିଁ । ବାହୁନି କାନ୍ଦିବା ପାଇଁ ଯିଏ ହେଲେ ଜଣେ ନିଜର ମଣିଷ ପାଖରେ ଦରକାର । ହେଲେ ମାଉସୀଙ୍କ ପାଖରେ ନିଜର ଆଉ ବୋଧେ କେହି ନାହାନ୍ତି ।

କାହାକୁ ଟିକେ ଫୋନରେ କଣ କହିଲେ ପୁଣି ସେ ଯେଉଁଠି ବସିଥିଲେ ଉଠିଯାଇ ଅନ୍ୟ ଗୋଟିଏ ସ୍ଥାନରେ ବସିଲେ । କଥାଟା ଟିକେ ଆମକୁ ବିଚଳିତ କରୁଥିଲା ବୁଢ଼ୀ ମାଉସୀଙ୍କ ପରିସ୍ଥିତି ଦେଖି । ଆମେ ପାଖକୁ ଯାଇ ପଚାରିଲୁ ମାଉସୀ କଣ ହୋଇଛି କି । ଥିରି ଥିରି ସ୍ୱରରେ କହିଲେ ସ୍ୱାମୀ ଚାଲିଗଲେ । ବୁଢା ମଉସାଙ୍କ ନାମ ତ୍ରିପୁରାରି ସେନାପତି । ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗାରେଡି ପାଞ୍ଚଣ । ବୟସ ଅସି ନବେ ହେବ । କରୋନା ସମୟରୁ ଘରେ ଖସି ପଡ଼ିଥିଲେ । ଗୋଡ଼ ଭାଙ୍ଗି ଯାଇଥିଲା । ବିଭିନ୍ନ ମେଡିକାଲ ନେଇ ଚିକିତ୍ସା କରାଗଲା କିନ୍ତୁ ଭଲ ହୋଇ ପାରିଲେ ନାହିଁ । କାରଣ ବୁଢ଼ୀ ମାଉସୀ ଏକୁଟିଆ ମଣିଷ କଣ ବା କରିପାରିବେ ।

ଝିଅ ଜ୍ୱାଇଁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରନ୍ତି ହେଲେ ଶେଷରେ ବୁଢ଼ୀ ମାଉସୀଙ୍କ ପରିଶ୍ରମ ବୃଥା ଗଲା । ମଉସାଙ୍କୁ ଘରକୁ ଆଣି ଘରେ ଚିକିତ୍ସା କରୁଥିଲେ ମାଉସୀ । ଅତ୍ୟଧିକ ଦେହ କଣ ହେବାରୁ ଆଜି କ୍ୟାପିଟାଲ ହସ୍ପିଟାଲ ଅଣା ଯାଇଥିଲା । ଆଉ ଆଜି ଚାଲିଗଲେ ଆରପାରିକୁ କହି ଆଉ କିଛି ପଚାରନି ବୋଲି ମନା କଲେ । କିଛି ସମୟରେ ଯାଇନି ପୋଲିସ ପହଁଚିଲା । ପୋଲିସ ଗୋଟି ଗୋଟି କରି ଲେଖିଲେ କେମିତି ଜୀବନ ଗଲା କଣ ହେଲା । ବୁଢ଼ୀ ମାଉସୀ ଏକୁଟିଆ ଗୋଟିଏ ଜାଗାରେ ବସି ଏଣେ ତେଣେ ଚାହିଁ ବୁଢା ମଉସା କଥା ଭାବୁ ଥାନ୍ତି ବୋଧେ ।

ସ୍ୱାମୀ ତାଙ୍କର ଯେତେବେଳେ ଭଲ ଥିଲେ କେତେ ଯତ୍ନ ନେଇ ଜୀବନର ଏଇ ଲମ୍ବା ବାଟରେ ବାଟୋଇ ସାଜି ଚାଲିଲେ । ଆଉ ବୟସ ଯେତେବେଳେ ବୁଢା ମଉସାଙ୍କ କବାଟ ଠକ ଠକ କଲା ମଉସା ଚାଲୁ ଚାଲୁ ଖସି ପଡିଲେ । ମାଉସୀ ଖୁବ ସେଵା କଲେ । ଗୋଟିଏ ବୋଲି ଝିଅ ଆଉ କେହି ନଥିଲେ । ଶେଷ ସମୟରେ ସାଥୀ ଆଜି ଅଧା ବାଟରେ ହାତ ଛାଡି ଚାଲିଗଲେ । ସାତ ଜନମକୁ ସାଥୀ ହେବେ କହି ଅଧା ବାଟରେ ଚାଲିଗଲେ । ଆମେ ଏହା କୌଣସି କାହାଣୀ କହୁନାହୁଁ ବରଂ କହୁଛୁ ଜୀବନର ନିଚ୍ଛକ ସତକୁ । ଆପଣ ମାନଙ୍କ ସାମ୍ନାରେ ରଖିଲୁ ଏଇଥିପାଇଁ ଆପଣଙ୍କ ଚିନ୍ତା ଧାରାର ପରିବର୍ତ୍ତନରେ ସମାଜର ପରିବର୍ତ୍ତନ । ଏମାନଙ୍କ କାହାଣୀ କିଛି ତ ଶିକ୍ଷା ଆଉ ପ୍ରେରଣା ଦେବ ।

You might also like