ଦୋଳପୂର୍ଣ୍ଣିମାରେ ପାଞ୍ଜିର ମହତ୍ତ୍ୱ, ସୋରଡାର ଜଗନ୍ନାଥ ମନ୍ଦିରରେ ପାଠ ହୁଏ ସ୍ଵତନ୍ତ୍ର ପାଞ୍ଜି

ସୋରଡା: ହିନ୍ଦୁ ଧର୍ମର ନିଆରା ପର୍ବ ଦୋଳପୂର୍ଣ୍ଣିମା ଓ ହୋଲି । ଘରେ ଘରେ ଏହାକୁ ବେଶ ଆନନ୍ଦର ସହିତ ପାଳନ କରାଯାଏ । ଏନେଇ ସହର ଠାରୁ ଆରମ୍ଭ କରି ଗ୍ରାମଞ୍ଚଳ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଏହି ପର୍ବ ଅବସରରେ ସୋରଡାର ଜଗନ୍ନାଥ ମନ୍ଦିରରେ ଏକ ସ୍ଵତନ୍ତ୍ର ପାଞ୍ଜି ପଠନ ହୋଇଥାଏ । ଏହି ଦୋଳପୂର୍ଣ୍ଣିମାରେ ପାଞ୍ଜିର ଗୁରୁତ୍ଵ ବେଶ ଅଧିକ ରହିଥାଏ । ଏହି ଧରାପୃଷ୍ଠରେ ପ୍ରଥମେ ପ୍ରଭୁ ଶିବଶଙ୍କର ମାତା ପାର୍ବତୀଙ୍କୁ ଭବିଷ୍ୟତର କଥା ଶୁଣାଇଥିଲେ । ଆଉ ଏହାକୁ ଅନୁକରଣ କରି ଅନେକ ପଣ୍ଡିତ ଓ ଜ୍ୟୋତିର୍ବିଦମାନେ ଆରମ୍ଭ କରିଥିଲେ ପାଞ୍ଜି ଲେଖନୀ ।

ଯେଉଁଥିରେ ବର୍ଣ୍ଣିତ ଥାଏ ଆପଣଙ୍କ ବର୍ଷସାରା କିପରି କଟିବ, ବିବାହ ବ୍ରତୋପନୟନ ତିଥି, ପର୍ବପର୍ବାଣୀ ଭଳି ଅନେକ କିଛି । ପାଞ୍ଜିର ମହତ୍ତ୍ୱ ଯୁଗେ ଯୁଗେ ପ୍ରତିଷ୍ଠିତ । ଯାହା ପ୍ରତି ଦୋଳପୂର୍ଣ୍ଣିମାରେ ସୋରଡ଼ାର ଜଗନ୍ନାଥ ମନ୍ଦିରରେ ପାଠ କରାଯାଏ । ସେହିଭଳି ଏହି ସମୟରେ ସୋରଡା ସ୍ଥିତ ଖୁଣ୍ଟେଶ୍ଵରୀ ପାହାଡ ଉପରେ ବଡ ଧରଣର ଯାତ୍ରା ମଧ୍ୟ ହୋଇଥାଏ । ସୋରଡାର ପ୍ରତେକ ଗାଁରେ ଏହି ଦିନ ଆମ୍ବ, ମହୁଲ, ଶାକର, ଚଣା ଆଦି ନିଜର ଇଷ୍ଟଦେବୀଙ୍କ ପାଖରେ ପୂଜା କରି ପ୍ରସାଦ ରୂପେ ପାଇଥାନ୍ତି । ଏହି ଦିନର ଅନେକ ମହତ୍ତ୍ୱ ରହିଛି ।

ଏହି ଦିନ ଠାରୁ ହିଁ ଚାଷୀ ନିଜର ଚାଷ କର୍ମ ଆରମ୍ଭ କରିଥାଏ । ସ୍ଵତନ୍ତ୍ର ପାଞ୍ଜି ପଠନ କରାଯାଏ ଏଭଳି ଅନେକ କିଛି । ଦୋଳପୂର୍ଣ୍ଣିମାରେ ସୋରଡା ଜଗନ୍ନାଥ ମନ୍ଦିରରେ ଠାକୁର ରାଧାକୃଷ୍ଣ ଦୀର୍ଘ ପାଞ୍ଚ ଦିନ ବିମାନରେ ବିରାଜମାନ କରି ସହର ବୁଲିଥାନ୍ତି । ଭକ୍ତମାନେ ରାଧାକୃଷ୍ଣଙ୍କ ଏହି ମନଲୋଭା ରୂପକୁ ବେଶ ଭଲ ପାଆନ୍ତି । ଶେଷ ଦିନରେ ମନ୍ଦିରରୁ ବିମାନରେ ବସି କୀର୍ତନ, ଢୋଲ, ମହୁରି ସହିତ ବହୁ ଭକ୍ତଙ୍କ ଗହଣରେ ସହର ପରିକ୍ରମା କରି ଆଡପ ଘରେ ପହଞ୍ଚିଥାନ୍ତି ଠାକୁର ।

ସେଠାରେ ମନ୍ଦିରର ବଡପଣ୍ଡା ଠାକୁରଙ୍କ ସମସ୍ତ ନୀତି କରିଥାନ୍ତି ଏବଂ ଠାକୁର ସେଠାରେ ଦୋଳି ଖେଳିବା ସହିତ ହୋଲି ଖେଳିଥାନ୍ତି । ଏହା ପରେ ମନ୍ଦିର ପୁରୋହିତ ତ୍ରିଲୋଚନ ଦାସ ସମସ୍ତ ପାଞ୍ଜିକୁ ପୂଜା କରି ସମସ୍ତ ଭକ୍ତଙ୍କୁ ବର୍ଷର ସମସ୍ତ ପର୍ବପର୍ବାଣି, ଚାଷ କାମ, ବର୍ଷା, ବନ୍ୟା, ବାତ୍ୟା, ଗ୍ରହଣ, ବିବାହ, ବ୍ରତ, ରାଜ୍ୟ ଓ ଦେଶର ରାଜନୀତି ହାନି ଲାଭ ଶୁଣାଇଥାନ୍ତି । ବର୍ଷସାରାର ସମସ୍ତ ତଥ୍ୟ ଜାଣିବା ବହୁ ଭକ୍ତ ସେଠାରେ ଜମା ହୋଇଥାନ୍ତି । ଏହି ପର୍ବ ସହ ସହ ବର୍ଷ ଧରି ପାଳିତ ହୋଇଥାଏ । ଗ୍ରାମାଞ୍ଚଳର ଚାଷୀ ଭାଇମାନେ ଆଜି ଠାରୁ ନୀତିନିୟମ ମାନି ନୂତନ ଭାବେ ଚାଷ କାମ ଆରମ୍ଭ କରିଥାନ୍ତି ।

ଏହା ସହିତ ସୋରଡାର ଖୁଣ୍ଟେଶ୍ଵରୀ ପାହାଡ ଉପରେ ଥିବା ମା’ ଖୁଣ୍ଟେଶ୍ଵରୀ ମନ୍ଦିର ଓ ସିଦ୍ଧେଶ୍ଵର ମନ୍ଦିରରେ ଦୋଳପୂର୍ଣମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା’ ଖୁଣ୍ଟେଶ୍ଵରୀଙ୍କ ପୀଠରେ ସମସ୍ତ ପୂଜା ପାଠ ହେବା ସହିତ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥାନ୍ତି । ପାହାଡକୁ ଅତି ସୁନ୍ଦର ଭାବେ ସଜାଯାଇଥାଏ ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ । ବହୁ ଦୂର ଦୂରାନ୍ତରୁ ଭକ୍ତ ଏଠାକୁ ଆସି ଦର୍ଶନ କରିଥାନ୍ତି । ମନ୍ଦିର ଦର୍ଶନ ଏବଂ ପ୍ରସାଦ ସେବନ କରିବା ସହିତ ପାଖରେ ଥିବା ପାର୍କରେ ମନ ଭରି ଉପଭୋଗ କରିଥାନ୍ତି ଶ୍ରଦ୍ଧାଳୁ ।

Also read: ବିରଜା ପାଞ୍ଜି ଅନୁଯାୟୀ ଆଜି ହୋଲି, ଫଗୁ ରଙ୍ଗରେ ରଙ୍ଗୀନ ହେଲେ ଯାଜପୁରବାସୀ