ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

ପୁରୀ : ରଥଯାତ୍ରା ଯାଏ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ।  ଆସନ୍ତା ୨୯ରୁ ଜୁନ ୨୭ ଯାଏ ଶ୍ରୀଜୀଉଙ୍କ ବିଶେଷ ନୀତି ଯୋଗୁଁ ରତ୍ନ ଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ । ୨୯ ଏପ୍ରିଲ ଚନ୍ଦନ ଅଧିବାସ, ୩୦ ଏପ୍ରିଲ ଅକ୍ଷୟ ତୃତୀୟା ନୀତି ଯୋଗୁଁ ବନ୍ଦ ରହିବ କାର୍ଯ୍ୟ । ବାହାର ଚନ୍ଦନ, ଭିତର ଚନ୍ଦନ ,ସ୍ନାନ ପୂର୍ଣ୍ଣିମା, ଅନବସର ନୀତି ଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ ।  ଜୁନ ୨୭ ରେ ମହାପ୍ରଭୁ ଘୋଷଯାତ୍ରାରେ ଗଲେ ୨୮ ତାରିଖରୁ ଆରମ୍ଭ ହେବ କାର୍ଯ୍ୟ । ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଏସଆଇର ଅଧିକାରୀ ,ଛତିଶା ନିଯୋଗ ମହାନାୟକ ,ଭଣ୍ଡାର ମେକାପ,ଦେଉଳକରଣ, ତଢ଼ଉକରଣ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ରତ୍ନଭଣ୍ଡାରର ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି କାର୍ଯ୍ୟ ରଥଯାତ୍ରା ପରେ ହିଁ ସଂପୂର୍ଣ୍ଣ ହେବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଗ୍ରାନାଇଟ ଫ୍ଲୋରିଂ କାମ ବାକି ରହିଛି  ।  ବାହାର ଭଣ୍ଡାରରେ ୯ଟି ବକ୍ସ ବିମ ଲାଗିଛି । ଆହୁରି ୫ ଟି ଷ୍ଟେନଲେସ ବିମ ଲାଗିବ ।  ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ ପ୍ରଣାଳୀରେ ଜାରି ରହିଛି କାର୍ଯ୍ୟ ।  ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟର ଭଣ୍ଡାର ଘର ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି । ଭିତର ରତ୍ନ ଭଣ୍ଡାର କାମ ସରିଛି ବାହାର ରତ୍ନ ଭଣ୍ଡାର କାମ ଅଳ୍ପ ବାକି ରହିଛି ଆଉ ମାତ୍ର ୫୦ ରୁ ୬୦ ଘଣ୍ଟା ର କାମ ପରେ ତାହା ବି ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ :  ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା: ନିୟୋଜିତ ହେଲେ ସ୍ଵତନ୍ତ୍ର ବାହିନୀ, ୨୮ ପୂର୍ବରୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ