୧୪୯ ବର୍ଷରେ ଧର୍ମଶାଳାର ଐ୍ୟତିହାସିକ ମୁନସୀ ମେଲଣ, ପୋଲିସ ଓ ଜନତା ପାଳିଥାନ୍ତି ଏହି ପର୍ବ

ଯାଜପୁର: ୧୪୯ ବର୍ଷ ଧରି ପାଳିତ ହୋଇ ଆସୁଛି ଯାଜପୁର ଜିଲ୍ଲାର ଧର୍ମଶାଳାର ପ୍ରସିଦ୍ଧ ମୁନସୀ ମିଳନ । ବଡ ଜାକଜମକରେ ଅନୁଷ୍ଠିତ ହୋଇଛି ଏହି ମିଳନ ପର୍ବ । ବଡ କଥା ହେଲା ପୋଲିସ ଓ ଜନତା ମିଳିତ ଭାବେ ପାଳିଛନ୍ତି ଏଠାକାର ଏହି ପାରମ୍ପରିକ ଉତ୍ସବ । ଖାକି ପୋଷାକରେ ଥାଇ ବି ଜନତାଙ୍କ ସହ ପୋଲିସ ଖେଳିଛନ୍ତି ରଙ୍ଗ ଅବିରର ହୋଲି । ପୋଲିସ ଓ ଜନତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ନିଆରା ଭାଇଚାରା ।

ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଏହି ନିଆରା ଉତ୍ସବ । ଧର୍ମଶାଳା ଥାନା ଅଧିକାରୀ ଏହି ମିଳନର ମୁଖ୍ୟ ପୁରୋଧା ସାଜିଥାନ୍ତି । ସତରେ ଏହି ନିଆରା ଉତ୍ସବର ଆୟୋଜନ ଦ୍ୱାରା ପୋଲିସ ମଧ୍ୟ ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହୋଇପାରୁଛି । ଧିରେ ଧିରେ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଆଖପାଖ ଅଂଚଳର ୫୦ରୁ ଉର୍ଦ୍ଧ୍ୱ ଛୋଟ ବଡ ବିମାନ ଏହି ମିଳନରେ ସାମିଲ ହୋଇ ଫଗୁ ଖେଳିଥିଲେ ।

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଥିଲା ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ ଭାଇମାନେ ନାଚଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ମେଲଣ ପଡିଆରେ ସମବେତ ହୋଇଥିଲେ । ୧୮୭୭ ମସିହାରୁ ପାଳିତ ହୋଇ ଆସୁଛି ଏହି ମିଳନ ଉତ୍ସବ ।

ବାସ୍ତବରେ ଏହା କେବଳ ମେଲଣ ଉତ୍ସବ ନୁହେଁ ଏହା ଏକ ଅପୁର୍ବ ମିଳନର ପର୍ବ । ଏଥିପାଇଁ ବିମାନ ଗୁଡିକୁ ପୂର୍ବରୁ ପାନଗୁଆ ଦେଇ ନିମନ୍ତ୍ରଣ କରାଯାଇଥାଏ । ଅନେକ ବିମାନ ବାପା ଜେଜେବାପା ଅମଳରୁ ଏହି ମେଲଣ ପର୍ବରେ ସାମିଲ ହୋଇ ଆସୁଛନ୍ତି । । ଏହି ଅବସରରେ ମେଲଣ ପଡିଆରେ ବିଭିନ୍ନ ଦୋକାନ ବଜାର ମଧ୍ୟ ଲାଗିଥାଏ । ଘର କରଣା ସାମଗ୍ରୀ କିଣିବା ସାଙ୍ଗକୁ ଏହାକୁ ଭରପୁର ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।

Also Read:ଗୁଣି ଗାରେଡିକୁ ନେଇ ଗଲା ତିନି ଜୀବନ, ୧୨ ଜଣଙ୍କୁ ଅଟକ ରଖିଛି ପୋଲିସ୍