ମାଲକାନଗିରି : ଆଦିବାସୀଙ୍କ ରଣହୁଙ୍କାର । ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ବିରାଟ ରାଲି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ପୋଲାଭରମ ପ୍ରକଳ୍ପ କୁ ବିରୋଧ କରିବା ସହ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି । ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଏବଂ ସାବ୍ୟସ୍ତ କରିବା ଅନୁସୂଚିତ ଜନଜାତି ମାନଙ୍କର ସୁରକ୍ଷା ଦାବିପତ୍ରରେ ଉଲ୍ଲେଖ ରହିଛି ।
ମାଲକାନଗିରି ଜିଲ୍ଲାରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ଵ ହେବ ୨୩୪ଟି ଗ୍ରାମସଭାରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରାଯାଇଛି । ଜିଲ୍ଲାସ୍ତରୀୟ କମିଟି ନିକଟରେ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ପଟ୍ଟା ପ୍ରଦାନ କରାଯାଉନ ଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଆଦିବାସୀ ମହାସଂଘ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ଦାବି କରିଛନ୍ତି ।