ଆଳି: ଆଜିକାଲି ଯୁଆଡେ ଆଖି ବୁଲେଇ ଦେଲେ ସିଆଡେ ଖାଲି ଦୁର୍ନୀତି ଆଉ ଦୁର୍ନୀତି । ବିନା ପରିଶ୍ରମରେ ମାଲେମାଲ୍ ହେବାର ନିଶା ସମସ୍ତଙ୍କୁ ଘାରିଛି । ତାଉପରେ ସରକାରଙ୍କର ଯୋଜନା କଥା ଉଠିଲେ ଯୋଗ୍ୟ ହିତାଧିକାରୀଙ୍କ କଥା ତ ଛାଡ ଏଠି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅଧିକ । ଏକଥା ଯେମିତି ସବୁ ଜାଣକି ବି ସୁଦ୍ଧା ଆଖି ବୁଜି ଦେଉଛନ୍ତି ସରକାର । ତେବେ ଏଭଳି ଏକ ସରକାରୀ ଯୋଜନାରେ ଦୁର୍ନୀତି ହୋଇଥିବା ଘଟଣା ପଦାରେ ପଡିଛି । ଏଭଳି ଏକ ବଡ଼ଧରଣ ଦୁର୍ନୀତିର ପେଡି ଖୋଲିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ପଞ୍ଚାୟତରେ ।
ଏଠି କୁଆଡେ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଯାହାକୁ ନେଇ ଆସିଛି ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ ପଞ୍ଚାୟତରେ ୨୦୦ରୁ ଅଧିକ ଭେଣ୍ଡିଆ ଯାହାଙ୍କ ବୟସ ୩୭ ରୁ ୪୭ମଧ୍ୟରେ ରହିଛି ସେମାନେ ଚଞ୍ଚକତା କରି ହାତେଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଭୋଟର ଲିଷ୍ଟ ସଂଶୋଧନ ସମୟରେ ଜାଲ୍ ସ୍କୁଲ ସାଟିଫିକେଟ ଦେଇ ବୟସ ବଢାଇବା ପରେ ଭତ୍ତା ପାଉଥିବା ନେଇ ଆସିଛି ଏକ ସାଙ୍ଘାତିକ ଅଭିଯୋଗ।
ଏମିତି କି ଅଯୋଗ୍ୟ ମାନଙ୍କ ମଧ୍ୟରେ ଯୁବକ ଏବଂ ଗୋଟାଏ ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଆଜକୁ ଦୁଇମାସ ହେଲାଣି ସେମାନେ ଭତ୍ତା ପାଇଚାଲିଛନ୍ତି । ଏନେଇ ଗ୍ରାମବାସୀମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନର ସରକାର କହିଛି ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଗଳ ପଞ୍ଚାୟତରେ ୩୦୪ ଜଣଙ୍କର ଭତ୍ତା ମଞ୍ଜୁରୀ ହୋଇଥିଲା । ସେଥି ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ଵ ଅଯୋଗ୍ୟ ଜାଲିଆତି କରି ଭତ୍ତା ପାଇଛନ୍ତି।
ଏହା ପଛରେ କୁଜି ନେତା ସହ ବ୍ଲକର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି ଏବଂ ଏହି ଦୁର୍ନୀତି ପଛରେ ବଡଧରଣର ଏକ ରାକେଟ କାମ କରୁଛି । ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି କାହାରିକୁ ଛଡ଼ାଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲା ଉପ-ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି । ସେପଟେ କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କି ଯୁଗ ହେଲା, ଏଠି ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ଆଉ ପ୍ରକୃତ ହିତାଧିକାରୀ ଭତ୍ତା ଟିକେ ପାଇଁ ହେଉଛନ୍ତି ବାର ଦୁଆର ଶୁଣ୍ଢି ପିଣ୍ଡା । ତେବେ ଏହି ଅଭିଯୋଗକୁ ନେଇ ପ୍ରତିପକ୍ଷ ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ, ଯଦି ଏହି ଘଟଣା ସତ ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଯୋର ଧରିଛି ।