ବିଜୟ-ଦିଲ୍ଲୀପଙ୍କ ଗତି କୁଆଡ଼େ ? ଦୁଇ ହେଭିେଓ୍ଵଟ୍‌ଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ବିଜୟ-ଦିଲ୍ଲୀପ ବିଜେପି ଛାଡ଼ିବାକୁ ମାସେ ହେଲାଣି । କେଉଁ ଦଳରେ ଯୋଗଦେବେ ଦୁଇ ଭେଟରାନ ନେତା ବିଜେଡି ନା କଂଗ୍ରେସ? ନା ନୂଆ ଦଳ ଗଠନ କରିବେ? ଏଯାଏଁ ଚିତ୍ର ଅସ୍ପଷ୍ଟ । ନିକଟରେ ଦିଲ୍ଲୀପ ରାୟ ବିଦେଶ ଗସ୍ତରୁ ଫେରି ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ସମର୍ଥକମାନେ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି । ଏହାପରେ ଦିଲ୍ଲୀପ ଏକ ବୈଠକରେ ନିଜ ନିର୍ବାଚନମଣ୍ଡଳୀର କର୍ମୀଙ୍କ ସହ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା କରିଛନ୍ତି ।

ଓଡ଼ିଶାରେ କ୍ଷୁଦ୍ର ଆଞ୍ଚଳିକ ଦଳଙ୍କ ସ୍ଥିତି ଭଲ ନୁହେଁ । ପୂର୍ବରୁ ବିଜୟ ମହାପାତ୍ର ବିଜେଡି ଛାଡ଼ିି ଓଡ଼ିଶା ଗଣ ପରିଷଦ ଗଠନ କରିଥିଲେ । ୨୦୦୪ ବିଧାନସଭା ନିର୍ବାଚନରେ ଓଜିପି ମାତ୍ର ୨ଟି ଆସନ ଜିତିଥଲା । ସେହିପରି ୨୦୦୯ ନିର୍ବାଚନରେ ଏନସିପି ପରି ଜାତୀୟ ଦଳର ମାତ୍ର ୪ ବିଧାୟକ ବିଜୟୀ ହୋଇଥିଲେ । ଉଭୟ ଏନସିପି ଏବଂ ଓଜିପିର ଭୋଟ ପ୍ରତିଶତ ୨ ପ୍ରତିଶତରୁ ଅଧିକ ନଥିଲା । ତେଣୁ ଛୋଟ ଦଳର ଅଭିଜ୍ଞତା ବିଜୟଙ୍କ ପାଖରେ ରହିଛିି । ତେଣୁ ଚର୍ଚ୍ଚା ହେଉଛି ଉଭୟ ବଡ଼ ଦଳରେ ଯୋଗ ଦେଇପାରନ୍ତି । ପୂର୍ବରୁ ଉଭୟ ନେତା ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ନୂଆବର୍ଷରେ କଂଗ୍ରେସର ଭୁବନେଶ୍ୱର ଜିଲ୍ଲା ସଭାପତି ଓ କଂଗ୍ରେସ କର୍ମୀ ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଦିଲ୍ଲୀପ-ବିଜୟ ଉଭୟ ଏକାଠି ବିଜେପିରେ ଯୋଗ ଦେଇଥିବା ବେଳେ ଏକାଠି ବିଜେପି ଛାଡ଼ିିଛନ୍ତି । ତେଣୁ ଉଭୟ ଯେଉଁ ଦଳକୁ ଯିବେ ସାଥୀ ହୋଇଯିବେ ବୋଲି ଜଣାପଡୁଛି ।