ନୂଆ ରୂପରେ ଉଦଘାଟନ ହେଲା କିନ୍ତୁ ଶ୍ମାଶନରେ ପଡ଼ିଛି ତାଲା, ଲୋକେ ମାଗୁଛନ୍ତି ଜବାବ

ପୁରୁଷୋତ୍ତମପୁର: ମାନବ ସମାଜରେ ମଣିଷର ଜନ୍ମ ମୃତ୍ୟୁ ଏକ ଚକ୍ର ସଦୃଶ । ମଣିଷ ଜନ୍ମ ହୋଇଥାଏ ସତ କିନ୍ତୁ ତା’ର ମରଣର ଶେଷ ଠିକଣା ମଶାଣି ଘାଟରେ । ତେବେ ଆମେ କହୁଚୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର NAC ଆଦର୍ଶ ଶ୍ମଶାନ ଘାଟ ବିଷୟରେ । ଦୀର୍ଘ ଦୁଇ ବର୍ଷ ହେଲା କାମ ସରିଛି । ୨୦୨୧ରେ ପ୍ରଥମ ଥର କରି NACରେ ନୂତନ ଶ୍ମଶାନ ଘାଟଟି ନିର୍ମାଣ କରାଯାଇଥିଲା । ମାତ୍ର ଏହି ଦୁଇ ବର୍ଷ ମଧ୍ୟରେ ମଶାଣିର ସ୍ଥିତି ଏତେ ଖରାପ ଯେ ନ କହିବା ଭଲ । ବହୁତ ଜାଗରେ ଭାଙ୍ଗିରୁଜି ଗଲାଣି ।
ରକ୍ଷଣା ବେକ୍ଷଣ ହେଉ ନଥିବାରୁ ମଶାଣିଟି ପ୍ରକୃତିର କୋଳରେ ବିଲୁପ୍ତ ହେବାକୁ ବସିଲାଣି । ଏଠାରେ ଲାଗିଥିବା ବହୁ ଅର୍ଣ୍ଣାମେଣ୍ଟାଲ ଟାଇଲର ଅବସ୍ଥା ଅତିମାତ୍ରାରେ ଦୁର୍ବଳ ହେବା ସହ କିଛି ଟାଇଲ ଚୋରି ମଧ୍ୟ ହୋଇ ସାରିଲାଣି । ଶ୍ମଶାନ ଘାଟରେ ଦୀର୍ଘ ଦୁଇ ବର୍ଷ ହେଲା ତାଲା ପଡ଼ି ବନ୍ଦ ରହିଛି । ଏଣେ ଅଞ୍ଚଳବାସୀ ଲୋକେ ନଦୀ ହୁଡ଼ାରେ ଶବ ଦାହ କରୁଛନ୍ତି । ବର୍ଷା ଦିନ ଯୋଗୁ ଋଷିକୂଲ୍ୟା ମୁହାଣରେ ପାଣିର ମାତ୍ରା ବଢିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ମଶାଣି ଭିତରେ ଥିବା ରାସ୍ତାରେ ଆଣ୍ଠିଏ ଆଣ୍ଠିଏ ଘାସ ଉଠିଗଲାଣି ।
ଏଥିରେ ବିଷଧର ଜୀବଜନ୍ତୁମାନଙ୍କ ଆତଯାତ ରହିଥିବା ବେଳେ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଏବେ ପ୍ରଶ୍ନ ଉଠୁଚି ଶ୍ମଶାନ ଘାଟଟି ନୂଆ କରି ନିର୍ମାଣ ହେବା ପରେ ମାତ୍ର ୨ବର୍ଷ ମଧ୍ୟରେ ଭଗ୍ନ ଅବସ୍ଥାକୁ ଆସିଲା କାହିଁକି ? ତେବେ ଭଲ ଭାବରେ ଥରେ ଚିନ୍ତା କରନ୍ତୁ ଏଥି ପାଇଁ ଦାୟୀ କିଏ??? ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନ ଘାଟଟି ନିର୍ମାଣ କରାଯାଇଥିବା ବେଳେ ରକ୍ଷଣା ବେକ୍ଷଣ, ଅବହେଳାର ଶିକାର ହୋଇଛି । ମଶାଣିରେ ଲାଗିଥିବା ସମସ୍ତ ଉପକରଣ ଗୁଡ଼ିକ ମଧ୍ୟ ଖତ ହୋଇ ସାରିଲାଣି ।
ଏନେଇ ଆମେ ସ୍ଥାନୀୟ NAC ଚେୟାରମ୍ୟାନ ଓ ନୂତନ କରି ଆସିଥିବା ଏକ୍ସକ୍ୟୁଟିଭ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଚେୟାରମ୍ୟାନ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହା ଉପରେ ତର୍ଜମା କରି ସମାଧାନ କରିବେ ବୋଲି କହିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଟଙ୍କା ଖର୍ଚ୍ଚ କରି ଶ୍ମଶାନ ନିର୍ମାଣ ହେଲା କିନ୍ତୁ ଲୋକଙ୍କ କାମରେ ଲାଗୁନି । ଏହା ପଛର ରହସ୍ୟ କଣ, ଲୋକେ ମାଗୁଛନ୍ତି ଜବାବ ।