ବର୍ଷା ଯୋଗୁଁ ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଉଦଘାଟନ ତାରିଖ

ମାଲକାନଗିରି : ଦୀର୍ଘଦିନ ଅପେକ୍ଷାର ଅନ୍ତ ଘଟିବ । କାର୍ଯ୍ୟକ୍ଷମ ହେବ ମାଲକାନଗିରି ବିଛିନ୍ନାଞ୍ଚଳବାସୀଙ୍କ ଲାଇଫ୍ ଲାଇନ୍- ଗୁରୁପ୍ରିୟା ସେତୁ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଖରାପ ପାଗ ଯୋଗୁ ଉଦ୍ଘାଟନ ତାରିଖ ଘୁଞ୍ଚାଇ ଦିଆଯାଇଛି । ଗୁରୁପ୍ରିୟା ସେତୁ କାର୍ଯ୍ୟକ୍ଷମ ହେଲେ ଗମନାଗମନ ସୁବିଧା ହେବା ସହ ମାଓ ଅପରେସନ ଅଧିକ କ୍ରିୟାଶୀଳ ହେବ ।
ତେବେ ସେତୁ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରିଛି କଂଗ୍ରେସ । ଦଳ କହିଛି, ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କର ଅନେକ ସମସ୍ୟା ରହିଛି । ଜାତି ପ୍ରମାଣପତ୍ର ଠିକ୍ ଭାବେ ମିଳୁନାହିଁ କି ଜଙ୍ଗଲ ଜମିପଟ୍ଟା ମିଳୁ ନାହିଁ । ଗୁରୁପ୍ରିୟା ସେତୁ ଉଦ୍ଘାଟନ ଦିନ ଏସବୁ ସମସ୍ୟାକୁ ନେଇ କଂଗ୍ରେସ ଆନ୍ଦୋଳନ କରିବ ।
ଏହା ମଧ୍ୟରେ ଗୁରୁପ୍ରିୟା ସେତୁର ଅନୁଧ୍ୟାନ ଶେଷ ହୋଇଛି । ସିସିଟିଭି ଦ୍ୱାରା ସେତୁ ଉପରେ ରଖାଯାଇଛି ସଂପୂର୍ଣ୍ଣ ନଜର ।